Delhi Budget 2023; ୭୮, ୮୦୦ କୋଟିର ବ୍ୟୟ ବରାଦ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

Published By : Prameya-News7 Bureau | March 22, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ବଜେଟ୍ ଉପସ୍ଥାପନ । ଆପ୍ ସରକାରଙ୍କ ପକ୍ଷରୁ ୨୦୨୩-୨୪ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ କୈଲାସ ଗେହଲଟ । ଏଥର ବଜେଟର ରୂପରେଖ ୭୮, ୮୦୦ କୋଟି ଟଙ୍କା ରହଛି । ଗତ ବର୍ଷ ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳର ବଜେଟ୍ ରହିଥିଲା ୭୫, ୮୦୦ କୋଟି ଟଙ୍କା। ସେହିପରି ୨୦୨୧-୨୨ରେ ୬୯ ହଜାର କୋଟି ଟଙ୍କା ଦିଲ୍ଲୀ ସରକାର ବଜେଟ୍ ଉପସ୍ଥାପନ କରିଥିଲେ ।  

୮ ବର୍ଷ ଭିତରେ ସରସ ସୁନ୍ଦର ହେବ ରାଜଧାନୀ ଦିଲ୍ଲୀ । ଏଥିପାଇଁ ମୋଟ୍ ୯ଟି ସ୍କିମ୍ ଚାଲୁ କରାଯାଇଛି । ଦିଲ୍ଲୀରେ ସମସ୍ତ ପିଡବ୍ଲୁଡି ସଡ଼କକୁ ମରାମତି କରାଯିବ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ୨୬ଟି ନୂଆ  ଫ୍ଲାଓଭର ଓ ବ୍ରିଜ୍ ନିର୍ମାଣ କରାଯିବ । ସେହିପରି ୩ଟି ଡବଲ ଡେକ୍କର  ଫ୍ଲାଓଭର ନିର୍ମାଣ କରାଯିବ । ସେହିପରି ଦିଲ୍ଲୀରେ ଥିବା ୫୭ଟି ବସ୍ ଡିପୋର୍ ବିଦ୍ୟୁତକରଣ କରାଯିବ ନେଇ ବଜେଟରେ ଘୋଷଣା କରାଯାଇଛି । ୨ଟି ମଲ୍‌ଟି ବସ୍ ଡିପୋ ଏବଂ ଅନ୍ୟ ୯ଟି ଡିପୋ ନିର୍ମାଣ କରାଯିବ । ଯମୁନା ନଦୀ ସଫା ନେଇ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେବ । ସେହିପରି ମହଲ୍ଲା ବସ୍ ପ୍ଲାନ୍ ଆରମ୍ଭ ହେବ । ୩ମିଟର ଲମ୍ବର ବସ୍ ସେବା ଆରମ୍ଭ ହେବ । ୨୦୨୩ ଶେଷ ସୁଧା ୧୬୦୦ ଇ-ବସ୍ ଗଡ଼ିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ବିଶେଷ ଧ୍ୟାନ ଦେଉଛନ୍ତି କେଜ୍ରିଓ୍ବାଲ ସରକାର । ରାଜଧାନୀରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ଗରିବ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ମିଳିପାରୁଛି ବୋଲି ଅର୍ଥମନ୍ତ୍ରୀ କୈଳାଶ ଗେହଲଟ୍ କହିଛନ୍ତି ।

ଅନ୍ୟପଟେ ୮ବର୍ଷରେ ଦିଲ୍ଲୀ ସରକାର ସବୁ ଐତିହାସିକ ପ୍ରୋଜେକ୍ଟର କାମ ସମ୍ପୂର୍ଣ୍ଣ କରିଛନ୍ତି । ସିଗ୍ନେଚର ବ୍ରିଜ୍, ଆଶ୍ରମ ଫ୍ଲାଏଓଭର ଏବଂ ଅଣ୍ଡରପାସ୍ କାମ ଶେଷ ହୋଇଛି । ପିଡବ୍ଲୁଡି  ଗତ ୮ ବର୍ଷରେ ୨୮ଟି ଫ୍ଳାଏଓଭର କାମ ସମ୍ପୂର୍ଣ୍ଣ କରିଛି ।

ଦିଲ୍ଲୀ ସରକାରଙ୍କ ସୂଚନା ମୁତାବକ, ୨୦୨୩-୨୪ ସୁଧା ଦିଲ୍ଲୀରେ ଗୋଟିଏ ବି ଭଙ୍ଗା ସଡ଼କ ରହିବ ନାହିଁ । ଯେଉଁ ସବୁ ରାସ୍ତା ନଷ୍ଟ ହୋଇଛି, ତାକୁ ଏଜେନ୍ସି ଦ୍ବାରା ମରାମତି କରାଯାଉଛି । ଦିଲ୍ଲୀର ରାସ୍ତା ଗୁଡ଼ିକ ସଫା ରଖିବାକୁ ୭୦ଟି ରୋଡ୍ ଓ୍ବାଇପିଂ ମେସିନ ଏବଂ ୨୧୦ଟି ସ୍ପ୍ରିଂକିଲିଂ ମେସିନ କିଣାଯିବ । ଏହି ପ୍ରୋଜେକ୍ଟ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବ, ଏଥିପାଇଁ ୧୯,୪୬୬ କୋଟି ଟଙ୍କା ଖର୍ଚ୍ଚ ହେବ ।  ୨୦୨୪ ଆର୍ଥିକ ବର୍ଷ ପାଇଁ ୨୦୩୪ କୋଟି ଟଙ୍କା ଖର୍ଚ୍ଚ ନେଇ ବ୍ୟୟ ବରାଦ ହୋଇଛି । ନୂଆ ଫ୍ଲାଏଓଭର ପାଇଁ ୭୨୨ କୋଟି ଟଙ୍କା ଖର୍ଚ୍ଚ ହେବ । ୩ଟି ଡବଲ ଡେକ୍କର ଫ୍ଲାଏଓଭର ପାଇଁ ୩୨୧କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେହିପରି ସଡ଼କ ଓ ପୋଲି ନିର୍ମାଣ ପାଇଂ ୩୧୨୬ କୋଟି ଟଙ୍କାର ଖର୍ଚ୍ଚ ବରାଦ କରାଯାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.