ଦୀପାଙ୍କ ପୁନର୍ଜନ୍ମ !

Published By : Prameya-News7 Bureau | July 28, 2020 IST

ଭୁବନେଶ୍ବର ୨୮/୭: ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କର ଗତକାଲି ଭୁବନେଶ୍ବରରେ ପରଲୋକ ହୋଇଥିବାବେଳେ ତାମିଲନାଡ଼ୁର ହୋସୁର ସରକାରୀ ଚିକିତ୍ସାଳୟରେ କୁନି ଓଡ଼ିଆ ଝିଅ ‘ଦୀପା ସାହୁ’ ଜନ୍ମ ହୋଇଛନ୍ତି। ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ଏହି କୁନି ଓଡ଼ିଆ ଝିଅଟିର ନାଁ ଦୀପା ସାହୁ ରଖିଛନ୍ତି।

ସବ୍ୟସାଚୀ ନିଜେ ଟ୍ବିଟ୍ କରି ବିଳମ୍ବିତ ରାତିରେ ନବଜାତ ଶିଶୁର ଫଟୋ ପୋଷ୍ଟ୍ କରିଛନ୍ତି ଏବଂ ଏପରି ସଂଯୋଗରେ ଯେତେବେଳେ ଓଡ଼ିଶାରେ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ ହେଲା ଏବଂ ଠିକ୍ ସେତିକିବେଳେ ତାମିଲନାଡ଼ୁର ହସ୍ପିଟାଲରେ ଏହି ଶିଶୁର ଜନ୍ମ ହୋଇଥିଲା ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି।

କରୋନା ଭାଇରସ୍ ଲକଡାଉନ୍ ସମୟରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଦେଶର ବିଭିନ୍ନ ସ୍ଥାନରେ ସମସ୍ୟାରେ ପଡ଼ୁଥିବା ଓଡ଼ିଆ ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ତାମିଲନାଡ଼ୁର ଓଡ଼ିଆ ମହିଳା ସସ୍ମିତା ସାହୁ ଲକଡାଉନରେ ଅସୁସ୍ଥ ଥିଲେ। ଯେକୌଣସି ମତେ ହୋସୁର ସରକାରୀ ହସ୍ପିଟାଲରେ ତାଙ୍କୁ ଆଡମିଶନ୍ ମିଳିଥିଲା। ସସ୍ମିତାଙ୍କ ସୋମବାର ଝିଅଟି ଜନ୍ମ ହେବାରୁ ସେ ସବ୍ୟସାଚୀଙ୍କୁ ଫୋନ୍ କରି ଝିଅଟିର ନାମକରଣ କରିବାକୁ ଅନୁରୋଧ କରିଥିଲେ। ଯେହେତୁ ଅଭିନେତ୍ରୀ ଦୀପାଙ୍କ ଦୁଃଖଦ ବିୟୋଗ ଘଟିଥିଲା ତେଣୁ ତାଙ୍କ ସ୍ମୃତିରେ ସେ ଝିଅଟିର ନାଁ ଦୀପା ରଖିବାକୁ କହିଥିଲେ। ସତେ ଯେମିତି ପୁନର୍ଜନ୍ମରେ ଦୀପା ସାହୁ ପୁଣି ଫେରିଲେ। ଏବେ ହୋସୁର ହସ୍ପିଟାଲରେ ଉଭୟ ମା ଓ ଝିଅ ସୁସ୍ଥ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.