ଅଧା ବୟସର ଝିଅ ସହ ପ୍ରେମ : ଜମୁଛି ଅଜୟ ଏବଂ ରକୁଲଙ୍କ କେମେଷ୍ଟ୍ରି , ‘ଦେ ଦେ ପ୍ୟାର ଦେ’ ଟ୍ରେଲର ହେଲା ରିଲିଜ
2/04/2019 at 4:50 PM

ମୁମ୍ବାଇ ୨/୪: ଅଜୟ ଦେବଗନଙ୍କ ୫୦ତମ ଜନ୍ମଦିନରେ ତାଙ୍କର ‘ଦେ ଦେ ପ୍ୟାର ଦେ’ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି। ଏହି ଫ୍ୟାମିଲି କମେଡ଼ି ଡ୍ରାମାରେ ଅଜୟ ଦେବଗନ ଏକ ଏପରି ସ୍ବାମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଯିଏ ନିଜ ପିଲାଙ୍କ ବୟସର ଝିଅକୁ ପ୍ରେମ କରୁଛନ୍ତି।
‘ଦେ ଦେ ପ୍ୟାର ଦେ’ ଫିଲ୍ମରେ ଅଜୟ ଦେବଗନଙ୍କ ପ୍ରଥମ ପତ୍ନୀଙ୍କ ଭୂମିକାରେ ତବ୍ବୁ ଅଭିନୟ କରିଛନ୍ତି। ୩ମିନିଟ ୧୭ସେକେଣ୍ଡର ଟ୍ରେଲରରେ ନଜର ଆସିଛି ଯେ କମ୍ ବୟସର ପ୍ରେମିକାଙ୍କୁ ନେଇ ଅଜୟ କିପରି ନିଜ ପିଲା,ମାଆ,ବାପା,ସ୍ତ୍ରୀ ଏବଂ ସାଙ୍ଗଙ୍କ ସାମନା କରିଛନ୍ତି। ଅଜୟଙ୍କ କମ୍ ବୟସର ପ୍ରେମିକା ଭୂମିକାରେ ରକୁଲପ୍ରୀତ ସିଂ ଅଭିନୟ କରିଛନ୍ତି।

ଏହି ଫିଲ୍ମରେ ମି ଟୁ ଅଭିଯାନରେ ଯୈାନ ଶୋଷଣର ଅଭିଯୋଗରେ ଦୋଷୀ ହୋଇଥିବା ଆଲୋକ ନାଥ ଅଜୟଙ୍କ ବାପା ଭୂମିକାରେ ଅଭିନୟ କରିଛନ୍ତି। ଜାଭେଦ ଜାଫରୀ ଅଜୟଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିଛନ୍ତି। ଜିମି ଶେରଗିଲ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ‘ଟୋଟାଲ ଧମାଲ’ ପରେ ଏହା ଅଜୟଙ୍କ ଏବର୍ଷର ଦ୍ବିତୀୟ କମେଡ଼ି ଡ୍ରାମା ଫିଲ୍ବ।

ଏହି ଫିଲ୍ମକୁ ଟି ସିରିଜ ଏବଂ ଲବ୍ ଫିଲ୍ମସ୍ ମିଶି ପ୍ରଯୋଜନା କରିଛନ୍ତି। ଅକିଭ ଅଲ୍ଲୀ ଏହାର ନିର୍ଦେଶନା ଦେଇଛନ୍ତି। ‘ଦେ ଦେ ପ୍ୟାର ଦେ’ ମଇ ୧୭ ତାରିଖରେ ରିଲିଜ ହେବ।
