ନିର୍ଭୟା କାଣ୍ଡକୁ ପୁରିଲା ୧୦ ବର୍ଷ, ମହିଳା ସୁରକ୍ଷା ନେଇ ସଂସଦର ଉଭୟ ସଦନରେ ପତ୍ରଲେଖି ଚର୍ଚ୍ଚା ଦାବି କଲେ ଦିଲ୍ଲୀ ମହିଳା କମିଶନ

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଲୀ ୧୬।୧୨: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲ ଶୁକ୍ରବାର ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କୁ ପତ୍ର ଲେଖିଛନ୍ତି। ମାଲିୱାଲ ଦିଲ୍ଲୀ ନିର୍ଭୟ କାଣ୍ଡର ୧୦ ବର୍ଷ ପୂର୍ତ୍ତିରେ ମହିଳା ସୁରକ୍ଷା ନେଇ ଲୋକସଭା ଓ ରାଜ୍ୟସଭାରେ ସ୍ୱତନ୍ତ୍ର ଚର୍ଚ୍ଚା ଦାବି କରିଛନ୍ତି। ମାଲିୱାଲ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ଦୈନିକ ୬ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି ଓ ମହିଳାଙ୍କ ବିରୋଧରେ ଅପରାଧ ମହାମାରୀ ଭଳି ବଢିବାରେ ଲାଗିଛି ।

ମାଲିୱାଲ ଉଲ୍ଲେଖ କରିଛନ୍ତି ଯେ ମହିଳା ଓ ଯୁବତୀଙ୍କ ପ୍ରତି ଅପରାଧ ଗୁରୁତର ଚିନ୍ତାର ବିଷୟ ହୋଇ ରହିଛି। ଏଣୁ ଏହାର ମୁକାବିଲା ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ନିଆଯିବା ଜରୁରି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ୮ ମାସର ଶିଶୁ କନ୍ୟାରୁ ଆରମ୍ଭ କରି ୯୦ ବର୍ଷ ବୃଦ୍ଧା ଦୁଷ୍କର୍ମର ଶିକାର ହେଉଛନ୍ତି। ଏଥିରେ ମାଲିୱାଲ ନିକଟରେ ଦିଲ୍ଲୀରେ ହୋଇଥିବା ଏସିଡ ଆକ୍ରମଣର ମଧ୍ୟ ଉଲ୍ଲେଖ କରିଛନ୍ତି।

{"id":721783,"sizeSlug":"full","linkDestination":"none"}

ଲୋକସଭା ଅଧ୍ୟକ୍ଷ ଓମ ବିରଳା ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଲିୱାଲ ଲେଖିଥିବା ପତ୍ରରେ ମହିଳା ଓ ପିଲାଙ୍କ ବିରୋଧରେ ବଢୁଥିବା ଅପରାଧ କୌଣସି ମହାମାରୀ ଭଳି ବଢିବାରେ ଲାଗିଛି ଓ ଏହାର ମୁକାବିଲା ନିମନ୍ତେ କିଛି କରିପାରିବା ଭଳି ପରିସ୍ଥିତିରେ ନାହାନ୍ତି ସରକାର। ଏପରି ମହିଳା ଓ ଯୁବତୀଙ୍କ ଥଇଥାନ ନିମନ୍ତେ ସହାୟତା ରାଶି ଦେବାକୁ ସ୍ଥାପିତ ନିର୍ଭୟା ପାଣ୍ଠିରେ ମଧ୍ୟ କାଣ୍ଟଛାଣ୍ଟ ହୋଇଛିବୋଲି ମାଲିୱାଲ ଉଲ୍ଲେଖ କରିଛନ୍ତି।

ରାଜଧାନୀ ଦିଲ୍ଲୀରେ ୧୬ ଡିସେମ୍ବର ୨୦୧୨ ରାତିରେ ଏକ ଚଳନ୍ତା ବସ୍‌ରେ ଜଣେ ଯୁବତୀଙ୍କ ପ୍ରତି ସାମୂହିକ ଦୁଷ୍କର୍ମ ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ପରେ ଏହି ଘଟଣାର ପୀଡିତାଙ୍କୁ ନିର୍ଭୟା ନାମକରଣ କରାଯାଇଥିଲା। ଘଟଣାରେ ଗୁରୁତର ଆହତ ଯୁବତୀ କିଛି ଦିନ ପର୍ଯ୍ୟନ୍ତ ଜୀବନ ଯୁଦ୍ଧ ଲଢି ହାରି ଯାଇଥିଲା। ଏହି ମାମଲାରେ ରାମ ସିଂହ, ମୁକେଶ ସିଂହ, ପବନ ଗୁପ୍ତା, ବିନୟ ଶର୍ମା  ଓ ଅକ୍ଷୟ କୁମାର ସିଂହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲା ଯାହାକୁ ୨୦୧୫ରେ ମାମଲାରୁ ମୁକ୍ତ କରି ଦିଆଯାଇଥିଲା। ସେହିପରି ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ୪ ଜଣଙ୍କୁ ୨୦ ମାର୍ଚ୍ଚ ୨୦୨୦ରେ ଫାଶିଦଣ୍ଡରେ ଦଣ୍ଡିତ କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.