ଡେଭିଡ୍ ଓ୍ଵାର୍ଣ୍ଣର କହିଲେ ସେହି ଦୁଇ ଭାରତୀୟ ଖେଳାଳିଙ୍କ ନାଁ, ଯିଏ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନେଇ ପାରନ୍ତି ରୋହିତ ଶର୍ମାଙ୍କ ସ୍ଥାନ

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩।୧୧: ନଭେମ୍ବର ୨୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ଗସ୍ତରେ ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳକୁ ଅନୁଭବୀ ଖେଳାଳି ରୋହିତ ଶର୍ମାଙ୍କ ଅନୁପସ୍ଥିତି ଅନୁଭବ ହେବ। ଆଇପିଏଲ ୨୦୨୦ ସମୟରେ ରୋହିତ ଶର୍ମା ଆହତ ହୋଇଥିଲେ ଏବଂ ବର୍ତ୍ତମାନ ସେ ଏନସିଏରେ ଆହତ ସମସ୍ୟାରୁ ମୁକୁଳିବା ଦିଗରେ କାମ କରୁଛନ୍ତି।

ଅଷ୍ଟ୍ରେଲିଆ ମାଟିରେ ରୋହିତଙ୍କ ବ୍ୟାଟ୍ ଖୁବ୍‌ ଗର୍ଜିଥାଏ। ତେଣୁ ଏହି ଗସ୍ତରେ ଧଳା ବଲ୍‌ କ୍ରିକେଟ୍‌ରେ ତାଙ୍କ ସ୍ଥାନ ପୂରଣ କରିବା ବହୁତ ମୁସ୍କିଲ। କିନ୍ତୁ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଏମିତି ଦୁଇ ଭାରତୀୟ ଖେଳାଳିଙ୍କ ନାମ କହିଛନ୍ତି ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ଶିଖର ଧାଓ୍ଵନଙ୍କୁ ଉଚିତ୍ ସହଯୋଗ ଦେଇ ପାରିବେ।

ଡେଭିଡ୍ ଓ୍ଵାର୍ଣ୍ଣର ସ୍ଵୀକାର କରିଛନ୍ତି ଯେ, ରୋହିତ ଶର୍ମାଙ୍କ ଅନୁପସ୍ଥିତିକୁ ପୂରଣ କରିବା ବହୁତ ମୁସ୍କିଲ। ମାତ୍ର ଅଷ୍ଟ୍ରେଲିଆ ବିପକ୍ଷରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଶିଖର ଧାଓ୍ଵନଙ୍କୁ ଭଲ ସହାୟତା ଦେଇ ପାରିବେ।

ଓ୍ଵାର୍ଣ୍ଣର କହିଛନ୍ତି, ନିଃସନ୍ଦେହ ରୋହିତ ଭାରତୀୟ ଦଳର ଗୁରୁତ୍ଵପୂର୍ଣ୍ଣ ଖେଳାଳି। କିନ୍ତୁ ଭାରତ ପାଖରେ ଲୋକେଶ ରାହୁଲ, ଶିଖର ଧାଓ୍ଵନ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ପରି ଖେଳାଳି ଅଛନ୍ତି, ଯେଉଁମାନେ ସଂପ୍ରତି ଭଲ ଫର୍ମରେ ଅଛନ୍ତି। ଏହି ସବୁ ଖେଳାଳି ଆଇପିଏଲ ଖେଳିଥିଲେ ଏବଂ ଭଲ ଲୟରେ ମଧ୍ୟ ଅଛନ୍ତି।

ଶିଖର ଧାଓ୍ଵନ, କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟତୀତ ଶୁଭମାନ ଗିଲ୍‌ ମଧ୍ୟ ଓପନିଂ ପାଇଁ ପ୍ରବଳ ଦାବିଦାର।  ନିକଟରେ ଏହି ସବୁ ବ୍ୟାଟସମ୍ୟାନ ଆଇପିଏଲରେ ଦମଦାର ବ୍ୟାଟିଂ କରିଥିଲେ।

ଭାରତୀୟ ଟି-୨୦ ଦଳ

ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ମୟଙ୍କ ଅଗ୍ରଓ୍ଵାଲ, ଲୋକେଶ ରାହୁଲ(ଉପ ଅଧିନାୟକ ଓ ଓ୍ଵିକେଟ୍ ରକ୍ଷକ), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ।

ଦିନିକିଆ ଦଳ

ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ଶୁଭମାନ ଗିଲ୍, କେଏଲ ରାହୁଲ(ଉପ ଅଧିନାୟକ ଓ ଓ୍ଵିକେଟ୍ ରକ୍ଷକ), ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ଵାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.