ସଞ୍ଜୁ ସାମସନ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ? ଡିଲ୍ ପାଇଁ ରାଜି CSK

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ: ୱିକେଟ କିପର-ବ୍ୟାଟର ସଞ୍ଜୁ ସାମସନଙ୍କ କ୍ରିକେଟ୍ ଦୁନିଆରେ ଅନେକ ପ୍ରଶଂସକ ଅଛନ୍ତି । ସଞ୍ଜୁ ସାମସନ୍ ଅନ୍ତର୍ଜାତୀୟ କ୍ରିକେଟରେ ଏବଂ ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ନିଜର ଛାପ ଛାଡ଼ି ସାରିଛନ୍ତି । ସଞ୍ଜୁ ଗତ କିଛି ଆଇପିଏଲ୍ ସିଜିନରେ ରାଜସ୍ଥାନ ରୟାଲ୍ସ ପାଇଁ କ୍ୟାପ୍ଟେନ୍ସି କରିବା ସହ ଟିମର ଅଂଶ ହୋଇ ରହିଛନ୍ତି । କିନ୍ତୁ ଆଇପିଏଲ୍ ୨୦୨୬ରେ ଏକ ନୂତନ ଦଳ ପାଇଁ ସେ ଖେଳିବାର ଆଶା କରାଯାଉଛି । ଚେନ୍ନାଇ ସୁପର କିଙ୍ଗ୍ସ ସଞ୍ଜୁ ସାମସନଙ୍କୁ ତାଙ୍କ ଦଳରେ ସାମିଲ କରିପାରେ । ଫ୍ରାଞ୍ଚାଇଜର ବରିଷ୍ଠ ଅଧିକାରୀ ନିଜେ ଏହା ସ୍ପଷ୍ଟ କରିଛନ୍ତି । ସଞ୍ଜୁ ଚେନ୍ନାଇର ପରବର୍ତ୍ତୀ ଅଧିନାୟକ ମଧ୍ୟ ହୋଇପାରନ୍ତି ।

ସିଏସକେର ଜଣେ ବରିଷ୍ଠ ଅଧିକାରୀ କ୍ରିକବଜକୁ କହିଛନ୍ତି, 'ଆମ ନଜର ସଞ୍ଜୁ ସାମସନଙ୍କ ଉପରେ ରହିଛି । ସେ ଜଣେ ଭାରତୀୟ ୱିକେଟ୍ କିପର-ବ୍ୟାଟର ଯିଏ ୱିକେଟ୍ କିପିଂ ସହିତ ଓପନିଂ ଦାୟିତ୍ୱ ମଧ୍ୟ ଭଲ ଭାବରେ ତୁଲାଇ ପାରନ୍ତି । ଯଦି ସଞ୍ଜୁ ଉପଲବ୍ଧ ହୁଅନ୍ତି, ତେବେ ଆମେ ନିଶ୍ଚିତ ଭାବରେ ତାଙ୍କୁ ଆମ ଦଳରେ ସାମିଲ କରିବାକୁ ଚାହିଁବୁ । ତେବେ ତାଙ୍କ ସହ କିଏ ଟ୍ରେଡ୍ କରିବ, ଏବେ ତାକୁ ନେଇ ନିଷ୍ପତ୍ତି ହୋଇ ନାହିଁ, ଏହା ଉଚ୍ଚ ସ୍ତରରେ ପହଞ୍ଚି ନାହିଁ । କିନ୍ତୁ ଆମେ ତାଙ୍କୁ ଆମ ଦଳରେ ସାମିଲ କରିବାକୁ ଚାହୁଁଛୁ।'

IPL ୨୦୨୫ରେ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ଭଲ ନଥିଲା । ରାଜସ୍ଥାନ ରୟାଲ୍ସ ଦଳ ମଧ୍ୟ ପ୍ଲେଅଫରେ ସ୍ଥାନ ପାଇପାରିନଥିଲା । ସଞ୍ଜୁ IPL ୨୦୨୫ରେ ୯ଟି ମ୍ୟାଚ୍ ଖେଳି ୩୫.୬୩ ହାରରେ ମାତ୍ର ୨୮୫ ରନ୍ କରିଥିଲେ । ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଥିଲା ।  ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୬୬ ରନ୍ ଥିଲା । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ତାଲିକାରେ ସବୁଠୁ ତଳେ ରହିଥିଲା ।

ସଞ୍ଜୁ CSK ପାଇଁ ଜଣେ ମହତ୍ୱପୂର୍ଣ୍ଣ ଖେଳାଳି ହୋଇପାରନ୍ତି 

ସଞ୍ଜୁ ସାମସନଙ୍କ IPL ଖେଳିବାର ବହୁ ଅଭିଜ୍ଞତା ଅଛି । ସେ IPLରେ ୧୭୭ ମ୍ୟାଚ୍ ଖେଳି ୧୩୯.୦୫ ଷ୍ଟ୍ରାଇକ୍ ରେଟ୍‌ରେ ୪୭୦୪ ରନ୍ କରିଛନ୍ତି । ତାଙ୍କ ନାଁରେ ତିନୋଟି ଶତକ ମଧ୍ୟ ଅଛି । ୱିକେଟ୍ କିପିଂ ଏବଂ ବ୍ୟାଟିଂ ସହିତ, ସଞ୍ଜୁ ସାମସନ ଦଳର ନେତୃତ୍ୱ ବି ନେଇପାରନ୍ତି । ତାଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସକୁ IPL ୨୦୨୨ର ଫାଇନାଲ୍ ଖେଳିଥିଲା । ଗତ ସିଜନରେ ଋତୁରାଜ ଗାଏକୱାଡଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ସୁପର କିଙ୍ଗ୍ସ ଖରାପ ପ୍ରଦର୍ଶନ କରିଥିଲା । କେବଳ ଏତିକି ନୁହେଁ, ଆଘାତ ଯୋଗୁଁ ତାଙ୍କୁ ସିଜିନ୍ ମଝିରେ ଦଳ ଛାଡିବାକୁ ପଡିଲା । ଯାହା ପରେ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଚେନ୍ନାଇର ଅଧିନାୟକ ହୋଇଥିଲେ । ଯଦି ଚେନ୍ନାଇ ସୁପରକିଙ୍ଗ୍ସ ସଞ୍ଜୁ ସାମସନଙ୍କୁ ନିଜ ଦଳରେ ସାମିଲ କରେ, ତେବେ ସେ ଟିମ୍ ପାଇଁ ବଡ଼ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.