ଭୁବନେଶ୍ୱର ୧୭।୦୬ : ଯାଜପୁର ବିଭିନ୍ନ ସ୍ଥାନର ଝାଡ଼ାବାନ୍ତି ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।
ଖବର ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଡାଇରିଆ ଓ ଝାଡ଼ାବାନ୍ତି ସ୍ଥିତି ସଙ୍ଗୀନ ରହିଛି । ଯାହାକୁ ନେଇ ରାଜ୍ୟ ସରକାର ଫୁଲ୍ ଆକ୍ସନମୋଡ଼କୁ ଆସିଛନ୍ତି । ସଂକ୍ରମଣ ବ୍ୟାପିଥିବା ଅଞ୍ଚଳମାନଙ୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶୋଧନ କରାଯାଉଛି । ଏହାସହିତ ଡାକ୍ତରୀ ଟିମ୍ ମଧ୍ୟ ସଂପୃକ୍ତ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ସଂକ୍ରମଣ କିପରି ନବ୍ୟାପିବ, ସେଦିଗରେ ପଦକ୍ଷେପ ମଧ୍ୟ ନିଆଯାଉଛି । ଏହିକ୍ରମରେ ରାଜ୍ୟର ଡାଇରିଆ ଓ ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ସଚିବ, ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସହ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିଛନ୍ତି ।