'୩୦୦ ରନ ବି କରି ପାରିଥାନ୍ତି', ଦ୍ଵିଶତକ ହାସଲ ପରେ ଇଶାନ କିଷନଙ୍କ ବଡ ବୟାନ

Published By : Prameya-News7 Bureau | December 10, 2022 IST

ଚଟ୍ଟଗାଓଁ: ବାଂଲାଦେଶ ବିପକ୍ଷ ଚଟ୍ଟଗାଓଁ ଦିନିକିଆରେ ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଷ୍ଟାର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଇଶାନ କିଷନଙ୍କୁ ସୁଯୋଗ ମିଳିଥିଲା। ଆଉ ଏହାର ଭରପୁର ଫାଇଦା ଉଠାଇ ଦ୍ଵିଶତକ ଅର୍ଜନ କରିଛନ୍ତି ଇଶାନ କିଷନ। ଦିନିକିଆରେ ଦ୍ଵିଶତକ ଅର୍ଜନ କରିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର  ହୋଇଛନ୍ତି।

ଏହି ରେକର୍ଡ ଇନିଂସ ପରେ ଇଶାନ କିଷନ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେବେ ସେ ଆଉଟ୍ ହେଲେ ସେହି ସମୟରେ ଆହୁରି ୧୫ ଓଭରର ଖେଳ ବାକିଥିଲା। ଯଦି ସେ ଆଉଟ୍ ହୋଇନଥାନ୍ତେ ତେବେ ସେ ୩୦୦ ରନ କରି ପାରିଥାନ୍ତେ।

ଇଶାନ କିଷନ କହିଛନ୍ତି, ବ୍ୟାଟିଂ ପାଇଁ ଏହି ପିଚ୍ ବହୁତ ଅନୁକୂଳ ଥିଲା। ମୋର ଆଭିମୁଖ୍ୟ ସ୍ପଷ୍ଟ ଥିଲା ଯେ, ଯଦି  ବଲ୍ ମୋ ପରିଧି ଭିତରକୁ ଆସିବ, ତେବେ ମୁଁ ବଡ ସଟ୍ ଖେଳିବି। ଏହି ସମୟରେ ଉପସ୍ଥାପକ ପଚାରିଥିଲେ ଯେ, ଦ୍ଵିଶତକ ତାଲିକାରେ ଇଶାନଙ୍କ ନାମ ସଚିନ ତେନ୍ଦୁଲକର, କ୍ରିସ୍ ଗେଲ୍, ରୋହିତ ଶର୍ମାଙ୍କ ପରି ବଡ ଖେଳାଳିଙ୍କ ଯୋଡି ହୋଇଗଲା। ଏହାରି ଉତ୍ତରରେ ଇଶାନ କହିଛନ୍ତି, ଏହି କିମ୍ବଦନ୍ତୀଙ୍କ ସହିତ ମୋର ନାମ ଶୁଣି ନିଜକୁ ବହୁତ ସୌଭାଗ୍ୟଶାଳୀ ଅନୁଭବ କରୁଛି। ମୋତେ ଏବେ ବି ଲାଗୁଛି ଯେ, ଯେତେବେଳେ ମୁଁ ଆଉଟ୍ ହେଲି ସେହି ସମୟରେ ଆହୁରି ୧୫ ଓଭରର ଖେଳ ବାକିଥିଲା। ମୁଁ ୩୦୦ ରନ କରି ପାରିଥାନ୍ତି ବୋଲି ଇଶାନ କିଷନ  କହିଛନ୍ତି।

ମ୍ୟାଚ୍‌ରେ ଇଶାନ ବିସ୍ଫୋରକ ବ୍ୟାଟିଂ କରି ୧୩୧ ବଲ୍‌ରେ ୨୧୦ ରନ କରିଛନ୍ତି। ଏଥିରେ ୨୪ ଚୌକା ଏବଂ ୧୦ ଛକା ସାମିଲ୍। ସେ ୧୨୬ ବଲ୍‌ରେ ନିଜର ଦ୍ଵିଶତକ ପୂରଣ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୦ ରହିଥିଲା। ଏଥିସହ ଇଶାନ କିଷନ ଅନ୍ତର୍ଜାତୀୟ ଦିନିକିଆରେ ଦ୍ରୁତତମ ଦ୍ଵିଶତକ ହାସଲ କରିବାର ଇତିହାସ ରଚିଛନ୍ତି। ଏହି ମାମଲାରେ ସେ ଓ୍ଵେଷ୍ଟଇଣ୍ଡିଜର ବିସ୍ଫୋରଣ ବ୍ୟାଟସମ୍ୟାନ କ୍ରିସ୍ ଗେଲ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗେଲ୍ ୨୦୧୫ରେ ଜିମ୍ବାଓ୍ଵେ ବିପକ୍ଷରେ ୧୩୪ ବଲ୍‌ରେ ଦ୍ଵିତଶତକ ହାସଲ କରିଥିଲେ।

ଇଶାନ କିଷନ ଦିନିକିଆରେ ଦ୍ଵିଶତକ ହାସଲ କରିବାରେ ଚତୁର୍ଥ ଭାରତୀୟ ବ୍ୟାଟର। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ଵାଗ ଏବଂ ରୋହିତ ଶର୍ମା ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ରୋହିତ କ୍ୟାରିୟରରେ ତିନୋଟି ଦିନିକିଆ ଦ୍ଵିଶତକ ହାସଲ କରିଛନ୍ତି। ଦିନିକିଆରେ ସର୍ବାଧିକ ୨୬୪ ରନ କରିବାର ବିଶ୍ଵ ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.