କରୋନା ଅପଡେଟ୍: ନୂଆ ହଟ୍ସ୍ପଟ୍ କଟିକଟା
2/05/2020 at 10:27 PM

ଭୁବନେଶ୍ବର୨/୫: ରାଜ୍ୟରେ କରୋନା ଆକ୍ରାନ୍ତରେ ଟପ୍କୁ ଆସିଯାଇଛି ଯାଜପୁର ଜିଲ୍ଲା । ୪୮ ଆକ୍ରାନ୍ତଙ୍କ ସହିତ ଯାଜପୁର ଏବେ ଖୋର୍ଦ୍ଧାକୁ ଟପିଛି । ଆଜି ଯାଜପୁର ଜିଲ୍ଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ଯାଜପୁର ଜିଲ୍ଲାର କଟିକଟା ଏବେ ନୂଆ ହଟସ୍ପଟ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି।
କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍କୁ ଗଲା ଯାଜପୁର ଜିଲ୍ଲା। ସର୍ବାଧିକ ଆକ୍ରାନ୍ତଙ୍କ ସହିତ ଏବେ ଏହା ଖୋର୍ଦ୍ଧା ଜିଲ୍ଲାକୁ ଟପିଛି। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଥିବା ବେଳେ କେବଳ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୪୮ । ଆଜି ଗୋଟିଏ ଦିନରେ ଏଠାରେ ୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳେ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୨ ଜଣ ଏବଂ ସଂଧ୍ୟାରେ ଜଣେ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୬ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସେଠାରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ରହିଛି ୧୬ । ୩୧ ଜଣ ଭଲ ହୋଇ ଡିସଚାର୍ଜ ହୋଇସାରିଛନ୍ତି। ତେବେ ଯାଜପୁରରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ରହିଛି ୪୭ । ଯାଜପୁରରେ ଚିହ୍ନଟ ହୋଇଥିବା ଅଧିକାଂଶ ରୋଗୀ କୋଲକାତା ଫେରନ୍ତା।
ନୂଆ ହଟ୍ସ୍ପଟ୍ କଟିକଟା । ଯାଜପୁରର ରାଜ୍ୟର ନୂଆ କରୋନା ହଟ୍ସ୍ପଟ୍ ପାଲଟିଛି ଯାଜପୁର ଜିଲ୍ଲାର କଟିକଟା ପଞ୍ଚାୟତ। କେବଳ ଏହି ଗୋଟିଏ ପଞ୍ଚାୟରୁ ଚିହ୍ନଟ ହେଲେଣି ୨୧ ଜଣ କରୋନା ପଜିଟିଭ । ସବୁଠାରୁ ବଡ଼କଥା ହେଉଛି ଏଠାରେ ଲୋକଙ୍କ ଖାମଖିଆଲ ବ୍ୟବହାର ପାଇଁ ହିଁ ଏହା କରୋନା ହଟ୍ସ୍ପଟ ପାଲଟିଲା । ପ୍ରଥମେ ଏଠାରେ ଯେଉଁମାନଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଥିଲା, ସେମାନେ ସରକାରୀ ନିୟମକୁ ଫୁକରି ଦେଇଥିଲେ । ନିୟମ କାନୁନ ନମାନି ବାହାରେ ବୁଲିଲେ ଆଉ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କଲେ । ଏପରି କି ଏଠାରେ ଆହୁରି କରୋନା ପଜିଟିଭ ବାହାରିବାର ମଧ୍ୟ ଆଶଙ୍କା ରହିଛି।
ଆଜି ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାରୁ ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ଆଜି ଆଉ ଜଣେ ସୁସ୍ଥ ହୋଇଛି ଡିସଚାର୍ଜ ହୋଇଛନ୍ତି। ଏଥିମଧ୍ୟରୁ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆକ୍ଟିଭ ରହିଛନ୍ତି ୯୯ ଜଣ । ଯାଜପୁର ଜିଲ୍ଲାରେ ୪୬, ବାଲେଶ୍ବରରେ ୨୦ ଏବଂ ଭଦ୍ରକରେ ୧୯ ଜଣ ଆକ୍ଟିଭ ରହିଛନ୍ତି । ଏହି ତିନି ଜିଲ୍ଲା ଯାଜପୁର, ବାଲେଶ୍ବର ଓ ଭଦ୍ରକ ଏବେ ରହିଛି ରେଡ୍ ଜୋନରେ।