ଚୀନରେ କରୋନା ଅଣାୟତ୍ତ, ହସ୍ପିଟାଲରେ ନାହିଁ ବେଡ୍: ଷ୍ଟ୍ରେଚରରେ ରୋଗୀ ହେଉଛନ୍ତି ଚିକିତ୍ସିତ

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ, ୦୫/୦୧: ଚୀନରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବା​‌ରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ପାଇଁ ବେଡ୍ କମ୍ ପଡ଼ିଛି। ଏବେ ରାଜଧାନୀ ବେଜିଂରେ ଦେଖାଦେଇଛି ଉତ୍କଟ ସ୍ଥିତି। ବେଜିଂରେ ପ୍ରାୟ ସବୁ ହସ୍ପିଟାଲ୍‌​‌ର ସ୍ଥିତି ଗମ୍ଭୀର ହୋଇଛି। ଏଠାରେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଷ୍ଟେ୍ରଚରରେ ଚିକିତ୍ସା କରାଯାଉଛି ତଥା ଅକ୍ସିଜେନ୍ ଦିଆଯାଉଛି। ତେବେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଲୋକଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଗୁରୁବାର ବେଜିଂର ଚୁଇୟାଙ୍ଗଲୁ ହସ୍ପିଟାଲରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲର କ୍ଷମତାରୁ ଅଧିକ ରୋଗୀଙ୍କ ଆସିବା କାରଣରୁ ଅନେକ ରୋଗୀକୁ ତଳେ ଶୁଆଇ ଚିକିତ୍ସା କରାଯାଇଥିଲା। ଆହୁରି ମଧ୍ୟ ବେଜିଂର ଅନେକ ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି।

ଉଲ୍କେଖଯୋଗ୍ୟ, ଚୀନରେ କରୋନା ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଫଳରେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଛି। ଚୀନରେ ଏହି ଭୟାବହ ସ୍ଥିତି ’ଜିରୋ କୋଭିଡ୍ ନୀତି’ ହଟାଯିବା ପରେ ଏଭଳି ସ୍ଥିତି ଉପୁଜିଛି। 

ସପଟେ ଚୀନରେ କରୋନା ଭାଇରସ ସଂକ୍ରମଣ ବଢ଼ିବା ପରେ ଭାରତ, ଆମେରିକା, କାନାଡା ସହ ଅନେକ ଦେଶ ଚୀନ୍ ଯାତ୍ରୀଙ୍କ ଉପରେ କଡ଼ା କୋଭିଡ୍ କଟକଣା ଘୋଷଣା କରିଛନ୍ତି। ଭାରତ ଚୀନରୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.