CWC ମିଟିଂରେ ବିରୋଧୀ ଦଳ ନେତା ପ୍ରସ୍ତାବ ଉଠିବାରୁ ଜାଣନ୍ତୁ କ’ଣ କହିଲେ ରାହୁଲ ଗାନ୍ଧି?

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ ୯।୭: ରାଜଧାନୀ ଦିଲ୍ଲୀରେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଂଗ୍ରେସ ସାଂସଦମାନେ ଏକ ଶ୍ୱରରେ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା ହେବାକୁ ପ୍ରସ୍ତାବ ଦେଇଥିଲେ। ଏଥର ରାୟବରେଲୀ ଓ ୱାଇନାଡରୁ ସାଂସଦ ନିର୍ବାଚିତ ରାହୁଲ ଗାନ୍ଧି ଏହା ଉପରେ ବିଚାର କରି କହିବେ ବୋଲି କହିଛନ୍ତି। 

ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଭଦ୍ରା, ସୋନିଆ ଗାନ୍ଧି ଓ ମଲ୍ଲିକାର୍ଜୁନ କଡଗେଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରାଯାଇଛି ଓ ଏହାକୁ ନେଇ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି।

କଂଗ୍ରେସ ନେତା କେ.ସି. ବେଣୁ ଗୋପାଲ ବୈଠକ ପରେ ସୂଚନା ଦେଇ କହିଛନ୍ତି ଯେ ସିଡବ୍ଲୁସିରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରି ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରଧୀ ଦଳ ନେତା ପଦବୀ ସ୍ୱୀକାର କରିବାକୁ ଅନୁରୋଧ କରାଯାଇଛି। ତେବେ ରାହୁଲ ଏ ନେଇ ବିଚାର କରିବେ ବୋଲି କହିଛନ୍ତି। ସେହିପରି ରମେଶ ଚେନ୍ନିଥଲା କହିଛନ୍ତି ଯେ ରାହୁଲ ୱାଇନାଡ ଅଥବା ରାୟବରେଲୀ କେଉଁ ଆସନ ଛାଡିବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। 

ସେହିପରି ସିଡବ୍ଲୁସି ବୈଠକରେ ସେହି ସବୁ ରାଜ୍ୟଙ୍କ ଫଳାଫଳ ନେଇ ଚର୍ଚ୍ଚା କରାଯାଇଥିଲା ଯେଉଁ ରାଜ୍ୟମାନଙ୍କରେ ପାର୍ଟିର ପ୍ରଦର୍ଶନ ନିରାଶାଜନକ ରହିଛି। ଏଥିରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଯେଉଁ ରାଜ୍ୟମାନଙ୍କରେ ପାର୍ଟିର ପ୍ରଦର୍ଶନ ଆଶାଠାରୁ କମ୍ ରହିଛି ତାର ସମୀକ୍ଷା ଲାଗି ଏକ କମିଟି ଗଠନ କରାଯିବ। ଏହି କମିଟି ଯେଉଁ ରିପୋର୍ଟ ଦେବେ ତାହା କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.