ଆଜି ଦେଶର ସମସ୍ତ ରାଜଭବନ ଘେରାଉ କରିବ କଂଗ୍ରେସ, କୃଷି ଆଇନ ବିରୋଧରେ ଦିଲ୍ଲୀରେ ରାଲି କରିବେ ରାହୁଲ

Published By : Prameya-News7 Bureau | January 15, 2021 IST

ନୂଆଦିଲ୍ଲୀ,୧୫/୦୧: ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଏବେବି ବିବାଦ ଲାଗି ରହିଛି । କୃଷକଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦଳ ଶୁକ୍ରବାର ସାରା ଦେଶରେ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ କରିବା ସହ ପ୍ରଦର୍ଶନ କରିବ । କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ଥିବା ସମସ୍ତ ରାଜଭାବନ ଆଗରେ ଧାରଣା ଦେବା ସହ ଘେରାଉ କରିବାକୁ ଘୋଷଣା କରିଛନ୍ତି । ନିଜେ ରାହୁଲ ଦିଲ୍ଲୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ରାଲି କରିଯିବେ । କଂଗ୍ରେସର ଏହି ରାଲିକୁ ନେଇ ପ୍ରଶାସନ ମଧ୍ୟ ସତର୍କ ରହିଛି ।

ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ,  ସରକାର କୃଷକଙ୍କୁ ବରବାଦ କରିବାକୁ ଚାହୁଁଛନ୍ତି । କଂଗ୍ରେସ କୃଷକଙ୍କ ସହ ରହିଛି ଓ ରହିଥିବ । କେନ୍ଦ୍ର ସରକାର ନିଜର ଦୁଇ-ତିନି ଜଣ ବନ୍ଧୁଙ୍କୁ ଫାଇଦା ପହଁଚାଇବା ପାଇଁ ଏପରି କରୁଛନ୍ତି । କୃଷକଙ୍କୁ ଉପେକ୍ଷା କରୁଛନ୍ତି ସରକାର ।

ସୂଚନାଯୋଗ୍ୟ, କଂଗ୍ରେସ ଶୁକ୍ରବାର କୃଷକ ଅଧିକାର ଦିବସ ପାଳନ କରୁଛି । ସମସ୍ତ ରାଜ୍ୟର ପ୍ରଭାରୀଙ୍କୁ ରାଜଭବନ ଘେରାଉ ପାଇଁ କୁହାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ ନେତା ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଘେରିବେ । ଦିଲ୍ଲୀର ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ଚନ୍ଦଗୀ ରାମ ଆଖଡାରେ ଏକାଠି ହେବାକୁ କୁହାଯାଇଛି । ଏଠାରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଲି ବାହାରି ରାଜଭବନ ଯାଏଁ ଯିବ । କଂଗ୍ରେସ କେନ୍ଦ୍ର ସରକାରଙ୍କ ନିକଟରେ କୃଷି ଆଇନକୁ ରବ୍ଦ କରିବା ପାଇଁ ଦାବି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.