ସଂସଦର ଶୀତକାଳୀନ ଅଧିବେଶନ ୭ରୁ, ରାହୁଲଙ୍କ ବିନା ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ ୪।୧୨: ସଂସଦର ଶୀତକାଳୀନ ଅଧିବେଶନ ବୁଧବାର ଆରମ୍ଭ ହେବ। କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିବାକୁ ପୁରା ପ୍ରସ୍ତୁତି କରିନେଇଛି।ତେବେ ରାହୁଲ ଗାନ୍ଧି ଏବେ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଥିବାରୁ ସଂସଦର ଚଳିତ ଅଧିବେଶନରେ ରାହୁଲ ଗାନ୍ଧିଙ୍କ ସମେତ ଅନେକ ସାଂସଦ ଅନୁପସ୍ଥିତ ରହିବେ। ଏଣୁ ରାହୁଲଙ୍କ ଅନୁପସ୍ଥିତିରେ ଗୃହରେ ସରକାରଙ୍କୁ ଘେରିବା ଲାଗି କଂଗ୍ରେସ ପୁରା ପ୍ରସ୍ତୁତି କରି ନେଇଛି।

ସଂସଦର ଶୀତ ଅଧିବେଶନରେ କଂଗ୍ରେସ, ମୂଲ୍ୟବୃଦ୍ଧି, ବେକାରୀ ଓ ଇକୋନମିକ ୱିକର ସେକ୍ସନ ସଂରକ୍ଷଣ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି କରିଛି।  ଶୀତକାଳୀନ ଅଧିବେଶନ ନିମନ୍ତେ ରଣନୀତି ପ୍ରସ୍ତୁତ କରିବାକୁ ପାର୍ଟିର ନେତାମାନେ ସୋନିଆ ଗାନ୍ଧିଙ୍କ ବାସଭବନରେ ବୈଠକ  କରିଥିଲେ। ଏ ନେଇ ଗଣମାଧ୍ୟମ ସହ ଆଲୋଚନାରେ ପାର୍ଟି ମୁଖପାତ୍ର ତଥା ବରିଷ୍ଠ ସାଂସଦ ଜୟରାମ ରମେଶ କହିଛନ୍ତି ଯେ ପାର୍ଟି ସଂସଦରେ ଇଡବ୍ଲୁଏସ୍ ସଂରକ୍ଷଣ ପୁନର୍ବିଚାର ସହ ସଂସଦରେ ଆଲୋଚନା ଲାଗି ଦାବି କରିବ। କାରଣ ସୁପ୍ରିମକୋର୍ଟରେ ୩ ଜଣିଆ ଜଜ୍ ଏହା ସପକ୍ଷରେ ଥିବା ବେଳେ ୨ ଜଣ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଛନ୍ତି ଯେ ଦେଶରେ ଜାତିଗତ ଜଣଗଣନା କରିବା ଜରୁରି ଓ କଂଗ୍ରେସ ଏହା ସପକ୍ଷରେ।

ଉଲ୍ଲେଖଯୋଗ୍ୟ ଯେ ସଂସଦର ଶୀତ ଅଧିବେଶନ ୭ ଡିସେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସରକାରଙ୍କ ଯୋଜନା ସଂସଦର ଶୀତକାଳୀନ ଅଧିବେଶନରେ ୧୬ଟି ନୂଆ ବିଧେକ ଉପସ୍ଥାପନ କରିବେ। ଯେଉଁଥିରେ ମଲ୍ଟି ଷ୍ଟେଟ୍ କୋ-ଅପରେଟିଭ ସୋସାଇଟିଙ୍କୁ ଉତ୍ତରଦାୟୀ କରିବା ଓ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ସମ୍ପର୍କିତ ବିଧେୟକ ମଧ୍ୟ ରହିଛି। ସଂସଦର ଆଗାମୀ ଅଧିବେଶନରେ ଦନ୍ତଚିକିତ୍ସା ଆୟୋଗ ଉପସ୍ଥାପିତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହା ସହ ଜାତୀୟ ନର୍ସିଂ ଆୟୋଗ ବିଧେୟକ ମଧ୍ୟ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.