ହିନ୍ଦୁବାଦୀଙ୍କ ଟାର୍ଗେଟରେ ଅଭିନେତ୍ରୀ ତାପସୀ ପନ୍ନୁ, ମା’ ଲକ୍ଷ୍ମୀଙ୍କ ଅପମାନ କରିଥିବା ନେଇ ଥାନାରେ ଅଭିଯୋଗ
28/03/2023 at 5:55 PM

ନୂଆଦିଲ୍ଲୀ, ୨୮/୦୩: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବିରୋଧରେ ଅଭିଯୋଗ। ତାପସୀଙ୍କ ବିରୋଧରେ ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରିପୁରା ପୋଲିସ୍ ଥାନାରେ ଅଭିଯୋଗ ହୋଇଛି। ହିନ୍ଦ ରକ୍ଷକ ସଂଗଠନ ଦ୍ବାରା ତାପସୀ ପନ୍ନୁଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ତାଙ୍କ ଉପରେ ହିନ୍ଦୁ ଦେବୀ-ଦେବତାଙ୍କୁ ଅପମାନ କରିବା ଏବଂ ଅଶ୍ଲୀଳତା ପ୍ରଚାର ନେଇ ଅଭିଯୋଗ ହୋଇଛି।
ସଂଗଠନ ଅଭିଯୋଗ କରିଛି ଯେ ତାପସୀ ଏକ ଫ୍ୟାସନ୍ ଶୋ’ରେ ରାମ୍ପ୍ଓ୍ବାକ୍ କରୁଥିବା ସମୟରେ ରିଭିଲିଙ୍ଗ୍ ଡ୍ରେସ୍ (ଅଙ୍ଗ ପ୍ରଦର୍ଶନ କରୁଥିବା ଡ୍ରେସ୍) ସହ ଲକ୍ଷ୍ମୀଙ୍କର ଏକ ଲକେଟ୍ ପିନ୍ଧିଛନ୍ତି । ଅଭିଯୋଗକାରୀଙ୍କ କହିବା ଅନୁଯାୟୀ ସେହି ଲକେଟ୍ ସହ ରିଭିଲିଙ୍ଗ୍ ଡ୍ରେସ୍ ହିନ୍ଦୁଧର୍ମ ପ୍ରତି କୁଠାରଘାତ। ଏମିତି କରି ସେ ସନାତନ ଧର୍ମର ଛବିକୁ ଆଘାତ ପହଞ୍ଚାଇଛନ୍ତି।.

ଛତ୍ରୀପୁରା ଥାନା ଏସଏଚଓ କପିଲ ଶର୍ମା କହିଛନ୍ତି ଯେ, ସ୍ଥାନୀୟ ସଂଗଠନ ହିନ୍ଦ ରକ୍ଷକର ସଂଯୋଜକ ଏକଲବ୍ୟ ଗୌଡ଼ ଅଭିଯୋଗ ଆଣିଛନ୍ତି। ଗୌଡ଼ ଅଭିଯୋଗ କରିଛନ୍ତି ତାପସୀ ମୁମ୍ବାଇରେ ନିକଟରେ ଏକ ଫ୍ୟାସନ ଶୋରେ ଅଙ୍ଗ ପ୍ରଦର୍ଶନ କରୁଥିବା ବସ୍ତ୍ର ସହ ଏକ ହାର ପିନ୍ଧିଥିଲେ ଯେଉଁଥିରେ ଦେବୀ ଲକ୍ଷ୍ମୀଙ୍କ ଛବି ରହିଥିଲା।
ପୋଲିସ୍ ଅନୁଯାୟୀ, ଅଭିଯୋଗକାରୀଙ୍କ ଅଭିଯୋଗ ରହିଛି ଯେ ଅଭିନେତ୍ରୀ ଏହି କାମ ଦ୍ବାରା ହିନ୍ଦୁଙ୍କ ଧାର୍ମିକ ଭାବନା ଏବଂ ସନାତନ ଧର୍ମର ଛବିକୁ ଆଘାତ ପହଞ୍ଚିଛି। ଏସଏଚଓ କହିଛନ୍ତି ଏହି ମାମଲାରେ ଆସିଥିବା ଅଭିଯୋଗର ଯାଞ୍ଚ କରାଯାଉଛି। ଏହା ଉପରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ। ଯାଞ୍ଚ ଜାରି ରହିଛି, ଯାଞ୍ଚ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ତାପସୀଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ।