ଭୁବନେଶ୍ୱର ୨୧।୦୬ : ଆଜି ବିଶ୍ୱ ଯୋଗ ଦିବସ । ଏହି ଅବସରରେ ସାରା ବିଶ୍ୱ ପାଳୁଛି ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ । ଏହିକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦିବସ ପାଳନ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ରେ ଯୋଗ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ ।
ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଯୋଗ । ଯୋଗ ଦ୍ୱାରା ସବୁ ସମ୍ଭବ ହେବ । ପିଲାଠାରୁ ବୟସ୍କ ଯାଏଁ ସଭିଏ ଯୋଗ କରନ୍ତି । କାହିଁକି ନା ଯୋଗ ଦ୍ୱାରା ଏକାଗ୍ରତା ଓ ସ୍ଥିରତା ଆସିଥାଏ । ଏହାସହିତ ଲୋକଙ୍କୁ ଚାପମୁକ୍ତ ରଖିଥାଏ ଯୋଗ। ଆଗକୁ ବିଦ୍ୟାଳୟରେ ଯୋଗ ଶିକ୍ଷାକୁ ସାମିଲ କରାଯିବ ।
୨୦୧୫ରୁ ସାରା ବିଶ୍ୱରେ ଯୋଗ ଦିବସ ଆରମ୍ଭ ହୋଇଥିଲା । ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ ହେଉଛି । ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ସାରା ବିଶ୍ୱକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ମାତ୍ର ତିନି ମାସ ମଧ୍ୟରେ ୧୭୫ ଦେଶର ସମର୍ଥନ ସହ ଜୁନ୍ ୨୧ ତାରିଖରୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଆସୁଛି । ୨୦୧୫ ମସିହା ଜୁନ୍ ୨୪ ତାରିଖରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି । ଯାହା ଆଜି ୧୧ ବର୍ଷରେ ପାଦ ଥାପିଛି ।
ସେ ପୁଣି କହିଥିଲେ ଯେ, ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରୁଛୁ। ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ। ଆମର ଲକ୍ଷ୍ୟ ହେଉଛି ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଏବଂ ଦକ୍ଷ ତଥା ସଶକ୍ତ ଓଡ଼ିଶା ଗଠନ କରିବା। ଆଜି, ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୋଗ ଅଧିବେଶନ ଅନୁଷ୍ଠିତ ହେଉଛି। ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ହଜାର ହଜାର ଲୋକ ଯୋଗ ପାଳନ କରିବାକୁ ଏକାଠି ହେଉଛନ୍ତି। ଏହି ଗଣ ଅଂଶଗ୍ରହଣ ଆମ ଲୋକଙ୍କ ମଧ୍ୟରେ ବଢ଼ୁଥିବା ସଚେତନତା ଏବଂ ସୁସ୍ଥ ଜୀବନଯାପନ ପ୍ରତି ସେମାନଙ୍କର ଆଶା ଓ ବିଶ୍ୱାସକୁ ଦର୍ଶାଉଛି।
ସୂଚନାଯୋଗ୍ୟ ଯେ, କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଯୋଗ ଶିବିରରେ ପ୍ରାୟ ୧୫ ହଜାର ଜନସାଧାରଣଙ୍କ ସମେତ ରାଜ୍ୟର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବରିଷ୍ଠ ଅଧିକାରୀ ମନେ ଯୋଗ ଦେବା ସହିତ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।