ଭୁବନେଶ୍ୱର ୧୭।୬: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗିର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା । ଆଉ ଆଜି ଆମେ ସେହି ଲକ୍ଷ୍ୟ ପୁରଣ କରିଛୁ । ବଲାଙ୍ଗିର ଜିଲ୍ଲାରୁ ଦୁଇ ଜଣ ମନ୍ତ୍ରୀ ଓଡ଼ିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି । ଏବେ ଏଠାରେ ଡବଲ୍ ଇଞ୍ଜିନ ନୁହେଁ, ଟ୍ରିପଲ୍ ଇଞ୍ଜିନ ସରକାର ଚାଲିଛି ଏବଂ ଜିଲ୍ଲାର ବିକାଶ ବି ୩ ଗୁଣ ବେଗରେ ଚାଲୁଛି ଓ ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଜି ଆମ ଦେଶ ତା’ର ଅନନ୍ୟ କୃଷି ପ୍ରଣାଳୀ ପାଇଁ ସାରା ବିଶ୍ଵରେ ପ୍ରଶଂସିତ । ଆମ ରାଜ୍ୟର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଏବଂ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । ମେ' ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସେ ବାବଦକୁ ଡ଼ିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି l ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଦେଶର କୃଷକ ସମାଜକୁ ବହୁ ସମ୍ମାନ ଦିଅନ୍ତି । ସେମାନଙ୍କୁ ଅନ୍ନଦାତା ଭାବେ ସମ୍ବୋଧନ କରନ୍ତି । ସମସ୍ତଙ୍କୁ କୃଷି କ୍ଷେତ୍ରରେ ନିଜ ନିଜର ଅବଦାନ ଦେଇ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ସେ ଆହ୍ଵାନ ଦେଇଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ । ୫ବର୍ଷ ମଧ୍ୟରେ ୧୫ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ ।
ଆମ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଚାଷୀ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ କେବଳ କୃଷକଙ୍କର ଆୟବୃଦ୍ଧି କରିନାହିଁ ବରଂ ରାଜ୍ୟରେ କୃଷି ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ସରକାର ଏହି କ୍ଷେତ୍ରର ଏକ ସ୍ଥାୟୀ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ମେ' ମାସ ୨୯ ତାରିଖରୁ ଜୁନ୍ ମାସ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ସାକ୍ଷୀଗୋପାଳ ଠାରୁ ଆରମ୍ଭ ହୋଇଥିବା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଦେଶବ୍ୟାପୀ ଚାଲୁ ରହିଥିଲା । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ କୃଷକ ମାନଙ୍କର ସାମୂହିକ କଲ୍ୟାଣ ସାଧନ ସହ କୃଷି କ୍ଷେତ୍ରରୁ ରୋଜଗାର ବୃଦ୍ଧି ପାଇଁ ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ ।
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟପ୍ରଣାଳୀର ବିବରଣୀ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି l ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି l ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି l ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (PVTG) ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି ।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍, ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲ୍ୱର, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।
You Can Read: