ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସୋମବାର ଚାରି ବର୍ଷର ସବୁଠ ବଡ଼ ବୃଦ୍ଧି ଦେଖିବା ପରେ ମଙ୍ଗଳବାର ବଜାରରେ ସାର୍ପ ଡିକ୍ଲାଇନ୍ ଦେଖିବାକୁ ମିଳିଛି । ଆଜି ସେନ୍ସେକ୍ସ ପ୍ରାୟ ୧୩୦୦ ଅଙ୍କ ଖସିଛି । ଅନ୍ୟପଟେ ନିଫ୍ଟି ଖସି ୨୪,୬୦୦ ତଳେ ବନ୍ଦ ହୋଇଛି । ସୋମବାର ରେକର୍ଡ ବୃଦ୍ଧି ପରେ ନିବେଶକ ଆଜି ଲାଭ ପାଇବା ପାଇଁ ଜୋରଦାର ବିକ୍ରି କରିଛନ୍ତି । ମୁଖ୍ୟତଃ ଆଇଟି, ଅଟୋ, ଏଫ୍ଏମ୍ସିଜିରେ ଅଧିକ ପ୍ରଫିଟ୍ ବୁକିଂ ହୋଇଛି । ଏହି କାରଣରୁ ସେୟାର ବଜାରରେ ଆଜି ନିବେଶକଙ୍କୁ ପ୍ରାୟ ୧.୨୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ଛୋଟିଆ ଓ ମଧ୍ୟମ ସେୟାର ଆଜି ଭଲ ପ୍ରଦର୍ଶନ କରିଥିଲେ । ବିଏସ୍ଇ ମିଡ୍କ୍ୟାପ୍ ଇଣ୍ଡେକ୍ସ ୦.୧୭ ପ୍ରତିଶତ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୧.୯୯ ପ୍ରତିଶତ ବଢି ବନ୍ଦ ହୋଇଛି ।
ଆଜିର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୧୨୮୧.୬୮ ଅଙ୍କ ବା ୧.୫୫ ପ୍ରତିଶତ ଖସି ୮୧,୧୪୮.୨୨ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୩୪୬.୩୫ ପଏଣ୍ଟ ବା ୧.୩୯ ପ୍ରତିଶତ ବଢି ୨୪,୫୭୮.୩୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୧୩ରେ ହ୍ରାସ ପାଇ ୪୩୧.୨୭ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ଶୁକ୍ରବାର ମେ ୧୨ରେ ୪୩୨.୫୬ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧.୨୯ ଲକ୍ଷ କୋଟି ଟଙ୍କା କମ ହୋଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୧.୨୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ବିଏସ୍ଇ ସେନ୍ସେକ୍ସରେ ଆଜି ୩୦ରୁ ୨୫ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରୁ ଇନଫୋସିସ୍ ସେୟାରରେ ସବୁଠୁ ଅଧିକ ୩.୫୪ ପ୍ରତିଶତ ହ୍ରାସ ପାଇଛି । ଅନ୍ୟପଟେ ସନ୍ ଫାର୍ମା ସେୟାରରେ ୦.୮୪ ପ୍ରତିଶତ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା ।