ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ମଙ୍ଗଲବାର ହ୍ରାସ ସହ ବନ୍ଦ ହୋଇଛି । ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଉତ୍ତେଜନା ନିବେଶକଙ୍କ ଚିନ୍ତା ବଢାଇଛି । ଯେଉଁଥି ପାଇଁ ବଜାରରେ ବିକ୍ରି ଦେଖିବାକୁ ମିଳିଛି । କାରବାର ଶେଷରେ ସେନସେକ୍ସ ୨୧୨.୮୫ ଅଙ୍କ ବା ୦.୨୬ ପ୍ରତିଶତ ହ୍ରାସ ପାଇ ୮,୧୪,୫୮୩.୩୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ, ନିଫ୍ଟି ୯୩.୧୦ ଅଙ୍କ ବା ୦.୩୭ ପ୍ରତିଶତ ଖସି ୨୪,୮୫୩.୪୦ ସ୍ତରରେ ବନ୍ଦ ହୋଇଛି ।
ଆଇଟି ସେୟାରକୁ ଛାଡ଼ି ଅନ୍ୟ ସବୁ ସମସ୍ତ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ଫାର୍ମା ଓ ହେଲ୍ଥକେୟାର ସେୟାରରେ ଦେଖିବାକୁ ମିଳୁଛି । ଫାର୍ମା ଆମଦାନୀ ଉପରେ ଟାରିଫ୍ ଲଗାଇବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଏହି ହ୍ରାସ ଦେଖିବାକୁ ମିଳିଛି । ଏହା ବ୍ୟତୀତ ମେଟାଲ, ବ୍ୟାଙ୍କିଂ ଓ ଅଟୋ ଇଣ୍ଡେକ୍ସ ବି ଅଧା ପ୍ରତିଶତରୁ ଅଧିକ ହ୍ରାସ ଘଟିଛି ।
ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ନିଫ୍ଟି ମିଡ୍କ୍ୟାପ୍ ୧୦୦ ଓ ନିଫ୍ଟି ସ୍ମଲ୍କ୍ୟାପ୍ ୧୦୦ ଇଣ୍ଡେକ୍ସ ପ୍ରାୟ ୦.୭ ପ୍ରତିଶତ ଯାଏ ହ୍ରାସ ପାଇ ବନ୍ଦ ହୋଇଛି । ବିଶେଷଜ୍ଞଙ୍କ ମତରେ ପଶ୍ଚିମ ଏସିଆର ସ୍ଥିତି ନସୁଧୁରିବା ଯାଏ ବଜାର ଦୁର୍ବଳ ରହିବ । ଅନ୍ୟପଟେ ଆମେରିକୀୟ ଫେଡେରାଲ୍ ରିଜର୍ଭ ବୈଠକର ପରିଣାମକୁ ବି ନିବେଶକ ଅପେକ୍ଷା କରିଛନ୍ତି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଜୁନ୍ ୧୭ରେ ହ୍ରାସ ପାଇ ୪୪୭.୭୯ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ସୋମବାର ୪୫୦.୫୨ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୭୩ ଲକ୍ଷ କୋଟି ଟଙ୍କା ଖସିଛି । ଅନ୍ୟଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୨.୭୩ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।