ପାକିସ୍ତାନକୁ ଚୀନ ଦେବ ୪୦ଟି ଷ୍ଟିଲଥ୍‌ ଫାଇଟର ଜେଟ୍ସ , ବାୟୁସେନାର ପୂର୍ବତନ ପାଇଲଟ କହିଲେ – ଏହା ଚିନ୍ତାଜନକ ...

Published By : Prameya-News7 Bureau | June 20, 2025 IST

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଦକ୍ଷ ସୈନିକମାନେ ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି ଯେ, ଚୀନ ପାକିସ୍ତାନକୁ ୪୦ ଶେନୟାଙ୍ଗ ଜେ-୩୫ ୫ମ ପିଢିର ଷ୍ଟିଲଥ୍‌ ଫାଇଟର ବିମାନ (ଫାଇଟର ଜେଟ୍ସ) ଦେବ। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏହି ମାସର ଆରମ୍ଭରେ ପାକିସ୍ତାନ ସରକାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ କହି ଥିଲା ଯେ , ସେ ୪୦ଟି ଜେ-୩୫ ୫ମ ପିଢିର ଲଢୁଆ ବିମାନ, କେଜେ-୫୦୦ ଏୟାରବୋର୍ନ ଅର୍ଲି ୱାର୍ଣ୍ଣି ଆଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ଓ ଏଚକ୍ୟୁ-୧୯ ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବ। 

ପାକିସ୍ତାନକୁ ଜେ-୩୫ର ବିକ୍ରି ଚୀନ ଦ୍ୱାରା ୫ମ ପିଢିର ଜେଟ୍‌ର ପ୍ରଥମ ରପ୍ତାନୀ ହେବ। ଏହି ଫାଇଟର ଜେଟ୍ସରେ ମଡର୍ଣ୍ଣ ଷ୍ଟିଲଥ୍‌ କ୍ଷମତା ସବୁ ରହିଛି। ଫାଇଟର ଜେଟକୁ ଶେନୟାଙ୍ଗ ଏୟାରକ୍ରାଫ୍ଟ କର୍ପୋରେସନ ତିଆରି କରିଛି ଏବଂ ଏହାକୁ ୨୦୨୪ର ଝୁହାଇ ଏୟାର ଶୋ'ରେ ସାର୍ବଜନିକ ଭାବେ ପ୍ରଥମଥର ପ୍ରଦର୍ଶିତ କରାଯାଇ ଥିଲା। ଭାରତୀୟ ବାୟୁସେନାର ପୂର୍ବତନ ଫାଇଟର ପାଇଲଟ ଓ ପ୍ରତିରକ୍ଷା ବିଶ୍ଳେଷକ ଗ୍ରୁପ୍‌ କ୍ୟାପଟେନ (ରିଟାୟର୍ଡ )ଅଜୟ ଅହଲାୱତ କହିଛନ୍ତି ଯେ , ଏହା ଚିନ୍ତାଜନକ ଖବର। 

 

ସେ ଏନଡିଟିଭିକୁ କହିଛନ୍ତି , ପାକିସ୍ତାନକୁ ଚୀନ ଠାରୁ ଫାଇଟର ଜେଟ୍‌ ମିଳିବା ଆଶ୍ଚର୍ଯ୍ୟକର କଥା ନୁହେଁ। ଛଅ ମାସରୁ ଅଧିକ ସମୟ ଧରି ପାକିସ୍ତାନର ଫାଇଟର ଜେଟ୍ସର ପାଇଲଟ ଚୀନରେ ଅଛନ୍ତି ଏବଂ ଟ୍ରେନିଂ ନେଉଛନ୍ତି। କୁହାଯାଇଛି ଯେ, ପାକିସ୍ତାନକୁ ଯେଉଁ ଜେଟ୍‌ ଚୀନରୁ ମିଳିବାକୁ ଯାଉଛି , ତାହା ଏଫସି -୩୧ ଏବଂ ଏହା ଜେ-୩୫ର ଦୁର୍ବଳ ଭର୍ସନ। ହେଲେ , କୌଣସି ବି ଦେଶ ଅନ୍ୟ ଦେଶକୁ ଫାଇଟର ଜେଟ୍‌ର ଫୁଲ୍‌ ଭର୍ସନ ଦେଇ ନଥାଏ।

 

ସେ ଆହୁରି କହିଛନ୍ତି ଯେ, ପାକିସ୍ତାନକୁ ଜେ-୩୫ ମିଳିବାରେ ଭାରତରେ ଚିନ୍ତା ବଢିବାକୁ ଯାଉଛି। ଗ୍ରୁପ୍ କ୍ୟାପଟେନ ଅହଲାୱତ୍‌ କହିଛନ୍ତି , ଏହା ଚିନ୍ତାଜନକ ଖବର। ସ୍ୱାଧୀନତା ପରଠାରୁ ଭାରତ କ୍ରୟ କ୍ଷେତ୍ରରେ ଅତି କମ୍‌ରେ ପାକିସ୍ତାନ ଠାରୁ ଅଗ୍ରଣୀ ରହିବା ପାଇଁ ଖୁବ୍‌ ସଂଘର୍ଷ କରୁଛି ଏବଂ ପାକିସ୍ତାନୀ ସେନାରେ ଜେ-୩୫ର କୌଣସି ବି ସଂସ୍କରଣ ଆମ ପାଇଁ ଚିନ୍ତା ସୃଷ୍ଟି କରିବାକୁ ଯାଉଛି। ଏହା ଚିନ୍ତଜନକ ଅଟେ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.