ସୁଧୁରୁନି ଚୀନ: ପୁଣି ଥରେ ଭାରତ ସୀମାରେ ପଶିବାକୁ ଉଦ୍ୟମ, ଘଉଡାଇଲେ ଭାରତୀୟ ସେନା

Published By : Prameya-News7 Bureau | September 01, 2020 IST

ନୂଆଦିଲ୍ଲୀ ୦୧।୦୯: ସୁଧୁରୁନି ଚୀନ। ନିଜ ହୀନ ଚକ୍ରାନ୍ତରୁ ପଛକୁ ହଟିବାକୁ ପ୍ରସ୍ତୁତ ହେଉନି ଡ୍ରାଗନ। ଗୋଟିଏ ପଟେ ଚୀନ କୂଟନୈତିକ ଓ କମାଣ୍ଡରସ୍ତରୀୟ ଆଲୋଚନା ଜରିଆରେ ଲଦାଖରେ ସ୍ଥିତି ସୁଧାରିବାକୁ ଉଦ୍ୟମ କରାଯାଉଥିବା ଦାବି କରୁଥିବା ବେଳେ ଅନ୍ୟପଟେ ଚୀନ ସୈନିକ ଲଗାତାର ଭାରତୀୟ ସୈନିକଙ୍କୁ ଉସୁକାଇବାକୁ ଉଦ୍ୟମ କରୁଛନ୍ତି। ଏବେ ସାମ୍ନାକୁ ଆସିଛି ଯେ ଚୀନ ସୈନିକ କେବଳ ଅଗଷ୍ଟ ୨୯ ରାତିରେ ନୁହେଁ ବରଂ ଅଗଷ୍ଟ ୩୧ ଅର୍ଥାତ ସୋମବାର ମଧ୍ୟ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଭାରତୀୟ ଅଞ୍ଚଳକୁ ପଶିବାକୁ ଉଦ୍ୟମ କରିଥିଲେ। ଭାରତୀୟ ସେନାଙ୍କ କଠୋର ଚେତାବନୀ ପରେ ଚୀନ ସେନା ଫେରି ଯାଇଛନ୍ତି। ମଙ୍ଗଳବାର ମଧ୍ୟ ଚୀନ ସୈନିକ ପୂର୍ବ ଲଦାଖର ଚୁମରରେ ମଧ୍ୟ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ହେଲେ ସୀମାରେ ସଜାଗ ଭାରତୀୟ ଯବାନ ପୁଣି ଥରେ ଚୀନ ସୈନିକଙ୍କୁ ଘଉଡାଇଛନ୍ତି।

ସୂତ୍ର ଅନୁଯାୟୀ ଚୀନ ସୈନିକ ମଙ୍ଗଳବାର ଚୁମର ଅଞ୍ଚଳରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ର ଅନ୍ୟ ପାର୍ଶ୍ଵରେ ଭାରତୀୟ କ୍ଷେତ୍ରରେ ପଶିବାକୁ ଉଦ୍ୟମ କରିଛନ୍ତି ମାତ୍ର ଭାରତୀୟ ସେନା ସେମାନଙ୍କୁ ନିଜ ସୀମାରେ ପଶିବାକୁ ଦେଇ ନାହାନ୍ତି। ଅଗଷ୍ଟ ୨୯-୩୦ ରାତିରେ  ହୋଇଥିବା ଘଟଣାର ସମାଧାନ ଲାଗି ଭାରତ-ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ଚୀନ ସୈନିକ ଲଗାତାର ଭାରତୀୟ ଅଞ୍ଚଳକୁ କବ୍‌ଜା କରିବାକୁ ଉଦ୍ୟମ କରିଥିଲେ।

ସେନା ସୂତ୍ର ଅନୁଯାୟୀ ସୋମବାର ବ୍ରିଗେଡ୍‌ କମାଣ୍ଡରସ୍ତରୀୟ ବୈଠକ ସମୟରେ ମଧ୍ୟ ଚୀନ ସୈନିକ ସହ ଶିଖର ଆଖପାଖରେ ନିଜର ଗତିବିଧି ବଢାଇଛନ୍ତି ଯେଉଁଠି ଭାରତୀୟ ସେନା ମୁତୟନ ଅଛନ୍ତି। ସୂତ୍ର ଅନୁଯାୟୀ ଚୀନର ସୈନିକଙ୍କ ଗତିବିଧି ଦେଖି ଭାରତୀୟ ସେନା କଡା ଶବ୍ଦରେ ଚେତାବନୀ ଦେଇ ନିଜ ଅଞ୍ଚଳକୁ ଫେରି ଯିବାକୁ କହିଛନ୍ତି। ଏହା ସହିତ ବ୍ରିଗେଡ୍‌ କମାଣ୍ଡରସ୍ତରୀୟ ବୈଠକରେ ମଧ୍ୟ ଭାରତ ତରଫରୁ କଠୋର ସନ୍ଦେଶ ଦିଆଯାଇଛି, ଯାହା ପରେ ଚୀନ ସୈନିକ ନିଜର ଅଞ୍ଚଳକୁ ଫେରି ଯାଇଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ମଙ୍ଗଳବାର କହିଛି ଅଗଷ୍ଟ ୩୧ରେ ଯେବେ ଦୁଇ ପକ୍ଷଙ୍କ ଗ୍ରାଉଣ୍ଡ କମାଣ୍ଡର ସ୍ଥିତି ସୁଧାରିବା ପାଇଁ ଆଲୋଚନା କରୁଥିଲେ, ସେତିକି ବେଳେ ଚୀନ ସୈନିକ ପୁଣି ଥରେ ପାଙ୍ଗଙ୍ଗ୍ ହ୍ରଦର ଦକ୍ଷିଣ କୂଳରେ ଭାରତ ସୀମାରେ ପଶିବାକୁ ଉଦ୍ୟମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.