ନୂଆଦିଲ୍ଲୀ: ଦକ୍ଷିଣ ଚୀନରେ ଜଳ ପ୍ରଳୟ । ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି, ଅନେକ ନିଖୋଜ ଅଛନ୍ତି। ଚୀନ ସରକାରୀ ସମାଚାର ଏଜେନ୍ସି ସିନ୍ୟୁହା ନିଜର ରିପୋର୍ଟରେ କହିଛି ଫୁଜିୟାନ ଅଞ୍ଚଳରେ ଭୂ-ସ୍ଖଳନ ଯୋଗୁଁ ଦୁଇଟି କୋଠା ଭୁଶୁଡି ପଡିଥିଲା, ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି।
ଚୀନର ସରକାରୀ ନ୍ୟୁଜ୍ ଚ୍ୟାନେଲ ସିସିଟିଭି ଅନୁସାରେ ୟୁତ୍ରାନ ପ୍ରାନ୍ତରେ ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ତିନି ଜଣ ନିଖୋଜ ଅଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଶୁକ୍ରବାର ବନ୍ୟା ପାଣିରେ ୩ ଜଣ ଶିଶୁ ଭାସିଯାଇଥିଲେ, ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ପ୍ରବଳ ଜଳ ପ୍ରବାହ ଯୋଗୁଁ ୟୁତ୍ରାନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାସ୍ତା, ପୋଲ, ଦୂରସଂଚାର ଏବଂ ବିଜୁଳି ଉତ୍ପାଦନ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଯୋଗାଯୋଗ ଏବଂ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରଭାବିତ ଅଞ୍ଚଳ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।