ଛତିଶଗଡ଼ ପୂର୍ବତନ CMଙ୍କ ପୁଅ ଗିରଫ, ଚୈତନ୍ୟଙ୍କ ଜନ୍ମଦିନରେ ବାସଭବନରୁ ଧରିଲା ଇଡି

Published By : Prameya-News7 Bureau | July 18, 2025 IST

ଛତିଶଗଡ଼ ୧୮/୦୭: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଗିରଫ । ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲ ଗିରଫ କରିଛି ଇଡି । ଭିଲାଇସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଛି । ଚୈତନ୍ୟ ବାଘେଲଙ୍କ ଏହି ଗିରଫଦାରୀ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇଡି ଆଜି ସକାଳେ ଭୂପେଶ ବାଘେଲଙ୍କ ଘରେ ଚଢାଉ କରିଥିଲା । କଥିତ ମଦ ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଚୈତନ୍ୟ ବାଘେଲଙ୍କ ଏହି ଗିରଫଦାରୀ କରାଯାଇଛି । ଆଜି ଚୈତନ୍ୟଙ୍କ ଜନ୍ମଦିନ ମଧ୍ୟ ।

କୁହାଯାଉଛି ଯେ ମଦ ଦୁର୍ନୀତି ମାମଲାରେ ନୂତନ ପ୍ରମାଣ ପାଇବା ପରେ, ଇଡି ଚୈତନ୍ୟଙ୍କୁ PMLA ଅଧୀନରେ ଗିରଫ କରିଛି । ଶୁକ୍ରବାର ସକାଳେ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟଙ୍କ ଭିଲାଇ ଘରେ ଇଡି ଚଢାଉ କରିଥିଲା । ଇଡି ଦଳ ସକାଳ ପ୍ରାୟ ସାଢ଼େ ୬ଟାରେ ତିନୋଟି ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚିଥିଲା । CRPF ର ସୁରକ୍ଷା ବଳୟରେ ଘରର ତଲାସୀ ଆରମ୍ଭ କରାଯାଇଥିଲା। 


ସୂଚନା ଥାଉକି, ଇଡି ଦଳ ଚଢାଉ ପାଇଁ ପହଞ୍ଚିବା ପରେ ଭୂପେଶ ବଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ତାଙ୍କ ପୁଅକୁ 'ଜନ୍ମଦିନର ଉପହାର' ମିଳିଛି । ଅନ୍ୟପକ୍ଷରେ, ଇଡି ଚଢାଉ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭୂପେଶ ବାଘେଲଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ ଓ ଭୂପେଶଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।

ଛତିଶଗଡ଼ରେ ଅବକାରୀ ଦୁର୍ନୀତିକୁ ନେଇ ଇଡିର ତଦନ୍ତରୁ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ରାଜ୍ୟରେ ବେଆଇନ ମଦ କାରବାର ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ । ଏହି ଦୁର୍ନୀତିରୁ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ଆୟ ହୋଇଥିଲା । 

ଇଡିର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ଦିଆଯାଉଥିଲା । ଏହି ପରିମାଣ ଦୁର୍ନୀତିରୁ ହେଉଥିବା ଆୟରୁ ଦିଆଯାଇଥିଲା । ଏହି ଦୁର୍ନୀତିରେ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିବାରୁ ପଚରାଉଚରା ପାଇଁ ତାଙ୍କୁ ଉଠାଇ ନେଇଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.