କେତେ ଖର୍ଚ୍ଚ ହୋଇଛି ‘ଚନ୍ଦ୍ରୟାନ-୩’ରେ ? କଣ ଗୋଟିଏ ହଲିଉଡ୍ ଫିଲ୍ମଠାରୁ ଅଧିକ ?
26/08/2023 at 1:05 PM

ନୂଆଦିଲ୍ଲୀ ୨୬।୦୮: ଇତିହାସ ରଚିଛି ଚନ୍ଦ୍ରୟାନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ରଚିଛି ଭାରତ । କିନ୍ତୁ ଜାଣନ୍ତି କି ଏହି ଐତିହାସିକ ମିଶନ ପାଇଁ କେତେ ଖର୍ଚ୍ଚ ହୋଇଛି ।

କୁହାଯାଉଛି କି ପୂର୍ବ ୨ଟି ମୁନ୍ ମିଶନ ଅପେକ୍ଷା ଚନ୍ଦ୍ରଯାନ ୩ରେ ବହୁତ କମ୍ ଖର୍ଚ୍ଚ ହୋଇଛି । ଚନ୍ଦ୍ରଯାନର ବଜେଟ୍ ୭୫ ମିଲିୟନ ଡଲାର୍ ଅର୍ଥାତ୍ ୬୧୫ କୋଟି । ୨୦୧୯ରେ ଚନ୍ଦ୍ରଯାନ-୨ ମିଶନ ଫେଲ୍ ହେବା ପରେ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ ହୋଇଥିଲା । ଏହା ୨୦୨୧ ମେ ମାସରେ ଲଞ୍ଚ ହେବା ନେଇ ପ୍ଲାନ୍ କରାଯାଇଥିଲା । କିନ୍ତୁ କୋଭିଡ୍ ପାଇଁ ବିଳମ୍ବ ହୋଇଥିଲା । ଶେଷରେ ୧୪ ଜୁଲାଇ ୨୦୨୩ରେ ଲଞ୍ଚ ହେଲା ଚନ୍ଦ୍ରଯାନ-୩ ।

ଇସ୍ରୋ ପୂର୍ବ ଚେୟାରମ୍ୟାନଙ୍କ ଅନୁଯାୟୀ ଚନ୍ଦ୍ରଯାନ-୩ ପାଇଁ ୬୧୫ କୋଟିର ବଜେଟ୍ ତିଆରି ହୋଇଥିଲା । ୨୦୨୦ର ଏକ ରିପୋର୍ଟ ଅନୁଯାୟୀ ଅନ୍ତରୀକ୍ଷ ଯାନ ଲ୍ୟାଣ୍ଡର, ରୋଭର ଏବଂ ପ୍ରୋପଲସନ୍ ମଡ୍ୟୁଲ୍ ପାଇଁ ୨୫୦ କୋଟି ଆବଶ୍ୟକ ଥିବା ବେଳେ ଲଞ୍ଚ ସର୍ଭିସରେ ଅତିରିକ୍ତ ଖର୍ଚ୍ଚ ହେବ ୩୬୫ କୋଟି ।

କିନ୍ତୁ ମିଶନ ଶେଷ ହେବା ବେଳକୁ ଏହି ଖର୍ଚ୍ଚ ଅଧିକ ହୋଇପାରେ । ସବୁଠାରୁ ବଡ କଥା ହେଉଛି ଚନ୍ଦ୍ରଯାନ-୩ର ବଜେଟ୍ ହଲିଉଡ୍ ଫିଲ୍ମ ତୁଳନାରେ ବହୁତ କମ୍ । ଯେପରିକି ୨୦୦୯ରେ ରିଲିଜ୍ ହୋଇଥିବା ହଲିଉଡ୍ ଫିଲ୍ମର ବଜେଟ୍ ୧୯୭୦ କୋଟି ରହିଥିଲା । ଯାହାକି ଚନ୍ଦ୍ରଯାନ-୩ର ବଜେଟ୍ ୬୧୫କୋଟି । ଅର୍ଥାତ୍ ଏହି ଫିଲ୍ମର ବଜେଟର ୩ଟି ଚନ୍ଦ୍ରଯାନ ଲଞ୍ଚ ହୋଇପାରିବ ।

୨୦୦୮ରେ ଆରମ୍ଭ ହୋଇଥିଲା ଭାରତର ମୁନ୍ ମିଶନ । ୨୦୦୮ ଅଗଷ୍ଟ ୨୮ରେ ଜହ୍ନକୁ ଯାଇଥିଲା ଚନ୍ଦ୍ରୟାନ-୧ । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୩୮୬ କୋଟି ଟଙ୍କା । ଅଗଷ୍ଟ ୨୦୦୯ ଯାଏଁ ଚନ୍ଦ୍ର ଚାରିପଟେ ବୁଲିଥିଲା ଅର୍ବିଟର୍ । ଚନ୍ଦ୍ରର ମେରୁ ଅଞ୍ଚଳରେ ଜଳର ସନ୍ଧାନ କରି ସାରା ଦୁନିଆକୁ ଚମକାଇ ଦେଇଥିଲା ପ୍ରଥମ ଚନ୍ଦ୍ରୟାନ ।

ପ୍ରଥମ ମୁନ୍ ମିଶନର ସଫଳତା ଭାରତକୁ ବାଟ କଢ଼ାଇ ନେଇଥିଲା ଦ୍ୱିତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରୟାନ-୨’ ଆଡ଼କୁ । ୯୭୮ କୋଟି ଟଙ୍କା ବଜେଟର ଥିଲା ‘ଚନ୍ଦ୍ରୟାନ-୨’ । ଏହି ମିଶନର ଲକ୍ଷ୍ୟ ଥିଲା ଚନ୍ଦ୍ର ଚାରିପଟେ ଅର୍ବିଟର ବୁଲାଇବା, ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମକୁ ସଫ୍ଟଲ୍ୟାଣ୍ଡିଂ କରିବା ଏବଂ ରୋଭର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଗଡ଼ାଇବା ।

୨୦୧୯ ମସିହା ଜୁଲାଇ ୨୨ରେ ଇସ୍ରୋର ବାହୁବଳୀ ରକେଟ୍ ଜିଏସ୍ଏଲ୍ଭି ମାର୍କ-ଥ୍ରୀ ସହାୟତାରେ ଉତକ୍ଷେପଣ ହୋଇଥିଲା ଦ୍ୱିତୀୟ ଚନ୍ଦ୍ରୟାନ । ସେପ୍ଟେମ୍ବର ୨ରେ ଯୋଜନା ମୁତାବକ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇଥିଲା, ଚନ୍ଦ୍ରୟାନ-୨ର ଅର୍ବିଟର ।

କିନ୍ତୁ ସେପ୍ଟେମ୍ବର ୬ରେ ଅଧୁରା ରହିଯାଇଥିଲା ଭାରତର ସଫ୍ଟଲ୍ୟାଣ୍ଡିଂ ସ୍ୱପ୍ନ । ଅବତରଣର ଶେଷ ମୁହୂର୍ତ୍ତରେ ଠିକ୍ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ୨ କିଲୋମିଟର ପୂର୍ବରୁ କ୍ରାଶ୍ ଲ୍ୟାଣ୍ଡ୍ କରିଥିଲା ଲ୍ୟାଣ୍ଡର ବିକ୍ରମ । ପୁଣି ୪ ବର୍ଷର କଠିନ ପରିଶ୍ରମ ପରେ ଉନ୍ନତ ଜ୍ଞାନ କୌଶଳରେ ଚନ୍ଦ୍ରକୁ ପଠାଗଲା ଚନ୍ଦ୍ରୟାନ-୩ । ଆଉ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ସଫ୍ଟ ଲ୍ୟାଣ୍ଡିଂ କରିପାରିଛି ଭାରତ ।
You Can Read: