ନୂଆଦିଲ୍ଲୀ ୨୧/୧୦: ସପ୍ତାହେ ମଧ୍ୟରେ ପ୍ରାୟ ଶହେରୁ ଅଧିକ ବିମାନ ଗୁଡିକୁ ବୋମା ଧମକ ମିଳିସାରିଛି । କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ବିମାନ କଂପାନୀ । ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ଚାଲିଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ । ସେ କହିଛନ୍ତି ବର୍ତ୍ତମାନ ଯେପରି ଭାବେ ବିମାନଗୁଡ଼ିକୁ ବୋମା ଥିବା ନେଇ ମିଛ କଲ୍ ମିଳୁଛି ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି। ଏପରି କାର୍ଯ୍ୟକଳାପକୁ ଆମେ 'ଧର୍ତ୍ତବ୍ୟ ଅପରାଧ' ତାଲିକାରେ ରଖିବାକୁ ଆଲୋଚନା କରୁଛୁ। ଯେଉଁମାନେ ଧରାପଡ଼ିବେ, ସେମାନଙ୍କୁ ତୁରନ୍ତ ନୋ-ଫ୍ଲାଏ ଲିଷ୍ଟରେ ରଖାଯିବ ବୋଲି ରାମ ମୋହର ନାଇଡୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନାଇଡୁ କହିଛନ୍ତି, ‘ଆମେ ଏହି ପ୍ରସଙ୍ଗରେ ଏକାଧିକ ବୈଠକ କରିଛୁ। ନିୟମର ସଂଶୋଧନ କରାଯିବା ନିହାତି ଦରକାର ବୋଲି ବିଚାର କରାଯାଇଛି। ପରିବର୍ତ୍ତନ ଆସିବା ପରେ ଏପରି ସମସ୍ୟାର ସମାଧାନ ହେବ।
ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ବିମାନ ମନ୍ତ୍ରଣାଳୟ ଅନ୍ୟ ମନ୍ତ୍ରଣାଳୟ ସହ କଥାବାର୍ତ୍ତା କରୁଛି। ଫୋନରେ ଦିଆଯାଉଥିବା ମିଛ ଧମକକୁ 'ଗୁରୁତର ଅପରାଧ' ତାଲିକାରେ ରଖିବାକୁ ଆଲୋଚନା ଚାଲିଛି' ।ସେ ଆହୁରି କହିଛନ୍ତି, ଏପରି ମିଛ କଲ୍ ପାଇଁ ଦେଶ ସାରା ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିମାନ କମ୍ପାନୀମାନେ ଆର୍ଥିକ ସମସ୍ୟା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଏପରି ଅପରାଧ ଘଟାଉଛନ୍ତି, ସେମାନଙ୍କୁ ବିମାନ ସେବାରୁ ବଞ୍ଚିତ କରାଯିବ।