କରୋନା ମାମଲାରେ କେଜ୍ରିଓ୍ଵାଲ ସରକାରଙ୍କୁ ଦାୟୀ କଲା କେନ୍ଦ୍ର, ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ ଲଗାଇଲେ ଅନେକ ଆରୋପ
27/11/2020 at 9:25 PM

ନୂଆଦିଲ୍ଲୀ ୨୭।୧୧: କେନ୍ଦ୍ର ସରକାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍-୧୯ର ବଢୁଥିବା କେସ୍ ନେଇ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ କହୋଳ ମନୋଭାବ କାରଣରୁ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ଘଟିଛି।
ବିଚାରପତି ଅଶୋକ ଭୂଷଣଙ୍କ ପୀଠରେ ଶୁକ୍ରବାର ଦାଖଲ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, ସମସ୍ତ ପ୍ରକାରର ଚେତାବନୀ ଓ ସତର୍କ ସତ୍ଵେ ଦିଲ୍ଲୀ ସରକାର ମହାମାରୀ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଉଠାଇ ନାହାନ୍ତି। ରାଜ୍ୟ ସରକାର ଡେଙ୍ଗୁ ପ୍ରତିରୋଧ ସମେତ ଅନେକ ପ୍ରକାରର ବିଜ୍ଞାପନ ଦେଲେ, ହେଲେ କୋଭିଡ୍ ବିଷୟରେ କେଜ୍ରିଓ୍ଵାଲ ସରକାରଙ୍କ ଗୋଟିଏ ହେଲେ ବିଜ୍ଞାପନ ନାହିଁ।
କେନ୍ଦ୍ର ସରକାର କହିଛନ୍ତି, ଦିଲ୍ଲୀ ସରକାରଙ୍କୁ ଜଣା ଥିଲା ଯେ, ଶୀତ ଋତୁ, ପାର୍ବଣ ଏବଂ ପ୍ରଦୂଷଣ କାରଣରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଏହି ସୂଚନା ଥିବା ପରେ ବି ଦିଲ୍ଲୀ ସରକାର କରୋନା ପ୍ରତିରୋଧ ଲାଗି କୌଣସି ପଦକ୍ଷେପ ଉଠାଇଲେ ନାହିଁ। ଦିଲ୍ଲୀ ସରକାର ଡେଙ୍ଗୁ ପ୍ରତିରୋଧ ଲାଗି ନିୟମିତ ବିଜ୍ଞାପନ ଦେଉଥିଲେ, ମାତ୍ର କୋଭିଡ୍ ପାଇଁ କୌଣସି ପ୍ରଚାର ନାହିଁ। ଏମିତି ସ୍ଥିତିରେ ଲୋକଙ୍କୁ ରୋଗ ବିଷୟରେ କେମିତି ସଚେତନ କରାଯିବ ସେ ନେଇ କୌଣସି ବିଜ୍ଞାପନ ନାହିଁ।
ଉଚ୍ଚକ୍ଷମତା ସଂପନ୍ନ କମିଟି ଦିଲ୍ଲୀ ସରକାରଙ୍କୁ ଏ ବିଷୟରେ ଚେତାଇଥିଲେ। ନୀତି ଆୟୋଗଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦିଲ୍ଲୀ ସରକାରଙ୍କୁ କହିଥିଲେ, ଦୈନିକ ୧୫୦୦୦ କେସ୍ ଆସିବା ନେଇ ପ୍ରସ୍ତୁତ ରୁହନ୍ତୁ। ମୁକାବିଲା ପାଇଁ ୬୫୦୦ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖନ୍ତୁ। ମାତ୍ର ଏହି ସୁପାରିସ ପରେ ବି ଦିଲ୍ଲୀ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଆଇସିୟୁ ଶଯ୍ୟା ୩୫୦୦ ରଖାଗଲା। ଏଥିରେ ଦିଲ୍ଲୀ ସ୍ଵାସ୍ଥ୍ୟ ବ୍ୟବସ୍ଥା ଉପରେ ଅଚାନକ ଚାପ ପଡିଥିଲା।
ଏସବୁ ପରେ ବି ଦିଲ୍ଲୀ ସରକାର ଟେଷ୍ଟିଂ କ୍ଷମତା ବିଶେଷ କରି ଆରଟି ପିସିଆର ସଂଖ୍ୟା ବଢାଇନାହାନ୍ତି। ଏହା ଦୀର୍ଘ ସମୟରୁ ୨୦ ହଜାର ଟେଷ୍ଟରେ ସୀମିତ ରହିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ନିର୍ଦ୍ଧାରିତ ଉପାୟ ଯଥା ଘର ଘର ଯାଇ ସର୍ଭେ କରାଇବା, କଣ୍ଟାକ୍ଟ ଟ୍ରେସିଂ, କ୍ଵାରେଣ୍ଟାଇନ୍ ଓ କ୍ଲିନିକଲ ବ୍ୟବସ୍ଥା କରାଯାଇନଥିଲା ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି।