୧୨ ହଜାର ଫୁଟ ଉପରେ ୧୭ଘଣ୍ଟା ଫଶିଥିଲେ CEC ରାଜୀବ କୁମାର, ଶୁନ ଡିଗ୍ରି ସେଲସିୟସରେ ନୁଡୁଲ ଖାଇ ବିତାଇଛନ୍ତି ରାତି

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ ୧୮।୧୦:  ଉତ୍ତରାଖଣ୍ଡର ୧୨,୦୦୦ ଫୁଟ ଉଚ୍ଚତାରେ ଏକ ନିର୍ଜନ ଗାଁରେ ପାଖାପାଖି ଶୁନ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ୧୭ ଘଣ୍ଟା ପର୍ଯ୍ୟନ୍ତ ଫଶି ରହିବା ଏକ ଏପରି ଅନୁଭବ ଯାହାକୁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ସାରା ଜୀବନ ଭୁଲି ପାରିବେନି। ରାଜୀବ କୁମାର ବୁଧବାର ମଧ୍ୟାହ୍ନରେ ପିଥୋରାଗଡ଼ କ୍ଷେତ୍ରର କେତେକ ଦୁର୍ଗମ ଅଞ୍ଚଳକୁ ଭୋଟଦାନ କେନ୍ଦ୍ର ପରିଦର୍ଶନ କରିବା ପାଇଁ ମିଲମ ଯାଉଥିବା ବେଳେ ଏହି ଘଟଣା ଘଟିଛି। 

ଘନ ବାଦଲ ଓ ଖରାପ ଦୃଶ୍ୟତା ଯୋଗୁ ତାଙ୍କ ହେଲିକପ୍ଟରକୁ ମୁନଶ୍ୟାରୀରୁ ପାଖାପାଖି ୪୨ କିଲୋମିଟର ଦୂର ରାଲମ ଗାଁରେ ଜରୁରି ଅବତରଣ କରାଇବାକୁ ପଡିଥିଲା। ରାଲମରେ କେବଳ ଗ୍ରୀଷ୍ମ ଋତୁରେ ଲୋକେ ରୁହାରୁହି କରନ୍ତି। ଏଠାରେ ଆରମ୍ଭ ହୋଇସାରିଥିବା ଭୀଷଣ ଶୀତରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀ ପାହାଡ ତଳି ଅଞ୍ଚଳକୁ ଚାଲି ଯାଇଛନ୍ତି। ଆଇଟିବିପି ସୂତ୍ର କହିଛନ୍ତି ଯେ ରାଜୀବ କୁମାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଯୋଗଦଣ୍ଡେ, ହେଲିକପ୍ଟରର ପାଇଲଟ ଓ ନିର୍ବାଚନ ଆୟୋଗଙ୍କ କର୍ମଚାରୀଙ୍କ ସାଥିରେ ଅପରାହ୍ନ ୫ଟା ବାଜିବା ପର୍ଯ୍ୟନ୍ତ ଏକ ଖେତରେ ଅପେକ୍ଷା କରିଥିଲେ। 

ଏଠାରେ ବେଙ୍ଗାଲୁରୁରୁ ଆସିଥିବା ୨ ଜଣ ପର୍ବତାରୋହୀ  ଫଶି ରହିଥିବା ଦଳଙ୍କୁ ପ୍ରଥମେ ଠାବ କରିଥିଲେ। ପର୍ବତାରୋହୀ ୨ ଜଣ ସେମାନଙ୍କୁ ଖାଇବାକୁ କିଛି ଡ୍ରାଏଫ୍ରୁଟ ଓ ନୁଡୁଲସ ଦେଇଥିଲେ। ସେମାନଙ୍କ ଲାଗି ଏକ ଖାଲି ଘର ଖୋଲିଥିଲେ ଓ ଘରେ ନିଆଁ ଜଳାଇଥିଲେ, ଯାହା ଦ୍ୱାରା ସେମାନେ ବିନା ଗରମ ବସ୍ତ୍ରରେ ଘରେ ରାତିଟି ବିତାଇ ପାରିବେ। ପିଥୋରାଗଡ଼ ଜିଲ୍ଲାପାଳ ବିନୋଦ ଗିରିଶ ଗୋସ୍ୱାମୀ କହିଛନ୍ତି ଯେ ସିଇସି ଆମକୁ ବୁଧବାର ମଧ୍ୟାହ୍ନ ପାଖାପାଖି ଗୋଟାଏ ବେଳେ ହେଲିକପ୍ଟରର ଜରୁରିକାଳୀନ ଲ୍ୟାଣ୍ଡିଂ ସମ୍ପର୍କରେ ସୂଚିତ କରିଥିଲେ। ସୂଚନା ମିଳିବା ମାତ୍ରେ ଆମେ ମିଲମ ଓ ଲିଲମରେ ଥିବା ଆଇଟିବିପି ଫାଣ୍ଡିକୁ ସୂଚିତ କରି ଜବାନଙ୍କୁ ସେଠାକୁ ପହଞ୍ଚିବା ଲାଗି ନିର୍ଦ୍ଦେଶ ଦେଇଥିଲୁ।  

ଗୋସ୍ୱାମୀ କହିଛନ୍ତି ଯେ ଏଥି ମଧ୍ୟରେ ପାହାଡ ଉପରେ ହେଲିକପ୍ଟରର ଅବତରଣ ସମ୍ପର୍କରେ ଆଖପାଖ ଗାଁ ଲୋକଙ୍କୁ ସୂଚନା ମିଳିସାରିଥିଲା। ଏଣୁ ପାଟୋ ଗାଁର ପ୍ରଧାନ ଈଶ୍ୱର ସିଂହ ନବିୟାଲ ଅନ୍ୟ ଲୋକଙ୍କ ସହିତ ୮ କିଲୋମିଟର ଚାଲିଚାଲି ସେଠାକୁ ପହଞ୍ଚିଥିଲେ। ଅଧିକାରୀ କହିଛନ୍ତି ଯେ ଈଶ୍ୱର ସିଂହ ପ୍ରଥମ ବ୍ୟକ୍ତି ଯିଏ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ସେଠାରେ ପହଞ୍ଚିଥିଲେ। ସେମାନେ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଓ ଅନ୍ୟମାନଙ୍କୁ ସାଙ୍ଗରେ ଆଣିଥିବା ଡ୍ରାଏଫ୍ରୁଟ ଦେଇଥିଲେ। ଏହା ପରେ ଭୋର ପ୍ରାୟ ୫ଟା ବେଳେ ଆଇଟିବିପି ଟିମ୍‌ ଜୀବନ ରକ୍ଷାକାରୀ ଔଷଧ ଓ ଭୋଜନ ସହ ଘଟଣାସ୍ଥଳକୁ ଆସିଥିଲେ। 

ସେମାନେ ଫଶି ରହିଥିବା ଦଳଙ୍କ ନିମନ୍ତେ ଚା ତିଆରି କରିଥିଲେ ଓ ଏହା ପରେ ସିଇସି ଓ ଅନ୍ୟଲୋକେ ସକାଳ ପାଖାପାଖି ୬ଟା ବେଳେ ମୁନଶ୍ୟାରୀ ଅଭିମୁଖେ ବାହାରିଥିଲେ। ମୁନଶ୍ୟାରୀ ଆଇଟିବିପି ବିଶ୍ରାମ ଗୃହରେ କିଛି ସମୟ ବିତାଇବା ପରେ ରାଜୀବ କୁମାର ନୂଆ ଦିଲ୍ଲୀ ଅଭିମୁଖେ ବାହାରିଯାଇଥିଲେ। ଈଶ୍ୱର ସିଂହ କହିଛନ୍ତି ଯେ ଜରୁରି ପରିସ୍ଥିତିରେ ସହାୟତା କରିଥିବାରୁ ମୁଖ୍ୟ ନିର୍ବାଚନ କମିଶନ ଦେବଭୂମି ଲୋକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.