ଟୋରଣ୍ଟୋ ୩୧।୫: କାନାଡାରେ ବସବାସ କରୁଥିବା ଶିଖ ସଙ୍ଗଠନଙ୍କ ଭାରତ ବିରୋଧୀ ସ୍ୱର ଦୃଢ ହୋଇଛି। ଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ଜି-୭ ଶିଖର ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ନ କରିବା ଲାଗି ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏହି ସମ୍ମିଳନୀ ଆଗାମୀ ମାସରେ କାନାଡା କନଇନସ୍କିସ୍ (ଅଲବର୍ଟା)ରେ ଅନୁଷ୍ଠିତ ହେବାର ଅଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି-୭ ଶିଖର ସମ୍ମିଳନୀକୁ ଆମନ୍ତ୍ରିତ କରାଯାଇଛି।
ହେଲେ ଏଥର ଟୋରଣ୍ଟୋସ୍ଥିତ ‘ଶିଖ ଫେଡେରେସନ’ ଓ ‘ୱାର୍ଲଡ ଶିଖ୍ ଅର୍ଗାନାଇଜେସନ’ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଭାରତ କାନାଡାରେ ଜାରି ନିଜ୍ଜର ହତ୍ୟା ଅପରାଧୀକ ଯାଞ୍ଚରେ ସହଯୋଗ ନ କରିଛି ସେ ପର୍ଯ୍ୟନ୍ତ ମୋଦିଙ୍କୁ କାନାଡା ନିମନ୍ତ୍ରଣ କରାନଯାଉ। ଶିଖ ସଙ୍ଗଠନ ଅଭିଯୋଗ କରିଛି ଯେ ୨୦୨୩ରେ ଭାଙ୍କୋଭର ନିକଟରେ ଶିଖ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତ ସରକାରଙ୍କ ଭୂମିକା ଥାଇପାରେ। ଏହା ଛଡା କେତେକ ଅନ୍ୟ ହିଂସା ଘଟଣାରେ ଭାରତ ଲିପ୍ତ ଥିବାର ଅଭିଯୋଗ ରହିଛି।
ଏହା ସତ୍ତ୍ୱେ କାନାଡର ଲିବରାଲ ସରକାର ଭାରତ ସହିତ ବ୍ୟବସାୟ ବଢାଇବା ଓ ସମ୍ପର୍କ ସୁଧାର ଉଦ୍ୟମ କରୁଛନ୍ତି। ଯାହାକୁ ଶିଖ ସମୂଦାୟ ବିରୋଧ କରୁଛନ୍ତି । ଜି-୭ ସମ୍ମିଳନୀକୁ ଫ୍ରାନ୍ସ, ବ୍ରିଟେନ, ଜର୍ମାନ, ଇଟାଲୀ, ଜାପାନ, ଆମେରିକା ଓ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କୁ ନିମନ୍ତ୍ରିତ କରାଯାଇଛି। ଏହା ଛଡା ଜି-୭ ବାହାରର ଦେଶ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଆଲବାନିଜଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ଯୋଗ ଦେବେ ବୋଲି ପୁଷ୍ଟି କରିଛନ୍ତି।
ଏହା ଛଡା ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, ତେବେ ସେ ଯୋଗ ଦେବେ କି ନ ଦେବେ ସେ ନେଇ ପୁଷ୍ଟି କରି ନାହାନ୍ତି। ଏହି କାର୍ଯ୍ୟକ୍ରମକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲନସ୍କି ମଧ୍ୟ ଆସିବେ। ତେବେ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ଯୋଗ ଦେବେ କି ନା ସେ ନେଇ କାନାଡା ସରକାର ନିରବ ଅଛନ୍ତି। ୨୦୨୩ ମସିହାରେ ନିଜ୍ଜର ହତ୍ୟାକାଣ୍ଡ ପରେ ଭାରତ-କାନାଡା ସମ୍ପର୍କରେ ଫାଟ ଦେଖା ଦେଇଥିଲା। ତେବେ ଉଭୟ ପକ୍ଷ ଏବେ ବ୍ୟବସାୟ ଓ ପାରସ୍ପରିକ ସହଯୋଗ ବଢାଇବା ପାଇଁ ସଂକେତ ଦେଇଛନ୍ତି।