ବ୍ୟବସାୟୀ କେଦାରନାଥଙ୍କୁ ଚଢ଼େଇଲେ ୨୩୦ କେଜି ସୁନା, ଏବେ ସ୍ୱର୍ଣ୍ଣଆଚ୍ଛାଦିତ ହେଲା ମନ୍ଦିରର ଗର୍ଭ ଗୃହ କାନ୍ଥ

Published By : Prameya-News7 Bureau | October 25, 2022 IST

ମୁମ୍ବାଇ ୨୫।୧୦:  ଜନୈକ ବ୍ୟବସାୟୀ କେଦାରନାଥଙ୍କ ମନ୍ଦିର ଲାଗି ୨୩୦ କେଜି ସୁନା ଦାନ କରିଛନ୍ତି। ଦାନରେ ମିଳିଥିବା ସୁନାରେ କେଦାରନାଥ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରାଯାଇଛି। ଦୀପାବଳିର ଶୁଭ ଅବସରରେ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରାଯାଇଛି। ଏଥିରେ କାନ୍ଥରେ ଲାଗିଥିବା ସୁନା ଚାଦରରେ ଭଗବାନ ଶଙ୍କରଙ୍କ ଚିହ୍ନ ଶଙ୍ଖ, ତ୍ରିଶୁଳ ଓ ଡମ୍ବରୁ ଆଦି ତାରକସି କରାଯାଇଥିବା ବେଳେ ସୁନାରେ ଜୟ କେଦାରନାଥ ଧାମ ଓ ହରହର ମହାଦେବ ମଧ୍ୟ ଲେଖାଯାଇଛି।

ମନ୍ଦିର ଲାଗି ୨୩୦ କିଲୋଗ୍ରାମ ସୁନା ଦାନ କରିଥିବା ବ୍ୟବସାୟୀ ମୁମ୍ବାଇର। ସେ ଯେତେବେଳେ ବି କେଦାରନାଥ ଦର୍ଶନରେ ଯାଆନ୍ତି ସବୁ ବେଳେ ଭଗବାନ କେଦାରନାଥଙ୍କ ଗର୍ଭ ଗୃହର କାନ୍ଥରେ ଲାଗିଥିବ ରୂପା ଚଦର ଦେଖି ସୁନାର ହୋଇ ଯାଆନ୍ତାକି ବୋଲି ଭାବନ୍ତି। କେବଳ ଏଥିଲାଗି ସେ ଏହି ସ୍ୱର୍ଣ୍ଣ ଦାନ କରିଥିବା କହିଛନ୍ତି। ଏଥିରେ ସେ କୋଟି କୋଟି ଟଙ୍କା ବ୍ୟୟରେ ପ୍ରଥମେ ସୁନାର କାନ୍ଥ ତିଆରିଥିଲେ। ପରେ ମନ୍ଦିର କମିଟି ଦିପାବଳୀର ଶୁଭ ଅବସରରେ ମନ୍ଦିର କାନ୍ଥରେ ସୁନାର ଚାଦର ଚଢେଇଛନ୍ତି।

{"id":700375,"sizeSlug":"full","linkDestination":"none"}

ମନ୍ଦିରର ଗର୍ଭ ଗୃହ କାନ୍ଥ ରୂପାରୁ ସୁନାକୁ ପରିବର୍ତ୍ତିତ ହୋଇଛି। ଏଥିଲାଗି ମନ୍ଦିର କମିଟି ଓ ସରକାର ବ୍ୟବସାୟୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ମନ୍ଦିରର ଗର୍ଭ ଗୃହକୁ ସ୍ୱର୍ଣ୍ଣାଚ୍ଛାଦିତ କରିବା ଲାଗି ପ୍ରଥମେ ପୂଜକମାନେ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ମନ୍ଦିର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣାଚ୍ଛାଦିତ କରିଦିଆଗଲେ ମନ୍ଦିରର ପୌରାଣିକତ୍ୱକୁ ଆଘାତ ଲାଗିବ। ତେବେ ଏହା ସତ୍ତ୍ୱେ ଯଦି ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସୁନା ଚାଦରରେ ଘୋଡାଇ ଦିଆଯାଏ ତେବେ ସେମାନେ ଅନସନ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ।

ତେବେ ମନ୍ଦିର କମିଟି ଓ ଉତ୍ତରାଖଣ୍ଡ ସରକାର ଗର୍ଭଗୃହକୁ ସ୍ୱର୍ଣ୍ଣାଚ୍ଛାଦିତ କରିବାକୁ ଅନୁମତି ଦେଇଥିଲେ। ସରକାରଙ୍କ ଅନୁମତି ପରେ ପୂଜକମାନଙ୍କ ବିରୋଧ ସମାପ୍ତ ହୋଇଥିବା ବେଳେ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସ୍ୱର୍ଣ୍ଣ ଚଦରରେ ଆବୃତ୍ତ କରାଯାଇଛି। ଏଥିରେ ନାନା କଳା କାରୁକାର୍ଯ୍ୟ ମଧ୍ୟ ହୋଇଛି। ଯାହା ଆଗକୁ ଦର୍ଶନାର୍ଥୀଙ୍କୁ ବେଶ୍ ଆମୋଦିତ କରିବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.