ନୂଆଦିଲ୍ଲୀ ୦୫/୦୮: ବ୍ରାଜିଲର ଜଣେ ୨୦ ବର୍ଷୀୟା ମହିଳାଙ୍କ ମୃତ୍ୟୁର ଯାଞ୍ଚ୍ କରୁଛି ପୁଲିସ । ବସ୍ରେ ଯାତ୍ରା ସମୟରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଆଶ୍ଚର୍ଯ୍ୟଚକିତ କଥା ହେଉଛି, ମହିଳାଙ୍କ ଶରୀରରେ ୨୬ ଆଇଫୋନ୍ ଲାଗିଥିଲା । ଗତ ଜୁଲାଇ ୨୯ ତାରିଖରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଆଇଫୋନ୍ ଚୋରା ଚାଲାଣରେ ଲିପ୍ତ ଥିଲେ ବୋଲି ପୋଲିସ ସନ୍ଦେହ କରୁଛି ।
ବସ୍ରେ ଥିବା ଯାତ୍ରୀ ପୋଲିସକୁ କହିଛନ୍ତି, ମୃତ ମହିଳା ଏକାକୀ ଯାତ୍ରା କରୁଥିଲେ । ଫଜ୍ ଡୋ ଇଗୁଆକୁରୁ ସାଓ ପାଉଲୋ ଯାତ୍ରା ସମୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା କଥା ସେ କହିଥିଲେ । ଗୁଆରୁପୁଆଭା ସହରରେ ବସ୍ ଯେତେବେଳେ ଅଟକିଲା, ସେ ତଳେ ପଡ଼ିଗଲେ ଏବଂ ତାଙ୍କର ମୃତ୍ୟୁ ହେଲା । ଦୀର୍ଘ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଗଲା । ଶେଷରେ ତାଙ୍କୁ ମୃତ ଘୋଷଣା କରାଗଲା ।
ଚିକିତ୍ସା ସମୟରେ ମେଡିକାଲ କର୍ମଚାରୀ ତାଙ୍କ ଶରୀରରେ ସଂଲଗ୍ନ ଅନେକ୍ ପ୍ୟାକେଜ୍ ଆବିଷ୍କାର କଲେ । ସେଗୁଡ଼ିକ ମଧ୍ୟରୁ ୨୬ଟି ଆଇଫୋନ୍ ମିଳିଲା । ତାଙ୍କ ବ୍ୟାଗ୍ରୁ ପୁଲିସ ଅନେକ ମଦ ବୋତଲ ମଧ୍ୟ ପାଇଲା । ମହିଳାଙ୍କର ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଓ ହୃଦ୍ଘାତର କାରଣ ସାର୍ବଜନୀନ କରିବା ପୂର୍ବରୁ ସ୍ଥାନୀୟ ପୁଲିସ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରିଛି । ଆଇଫୋନ୍ଗୁଡ଼ିକ ଏବେ ବ୍ରାଜିଲର ସଂଘୀୟ ରାଜସ୍ୱ ସେବା ପାଖରେ ଅଛି ।