<strong>ବିଚାର ବିଭାଗୀୟ ହାଜତରୁ ମୁକୁଳିଲେ କୋଚର ଦମ୍ପତି</strong><strong>:</strong><strong> କୋର୍ଟ କହିଲେ ବେଆଇନ ଭାବେ କରାଯାଇଥିଲା ଗିରଫ</strong><strong></strong>

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ବିଚାର ବିଭାଗୀୟ ହାଜତରୁ ମୁକୁଳିଲେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ସ୍ୱାମୀ ଦୀପକ କୋଚର। ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା କହି ତାଙ୍କୁ ଛାଡି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ସୋମବାର ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦୁର୍ନିତି ଅଭିଯୋଗରେ ସିବିଆଇ ଗିରଫ କରିବା ପରଠାରୁ କୋଚର ଦମ୍ପତି ବିଚାର ବିଭାଗୀୟ କଷ୍ଟୁଡିରେ ଥିଲେ।

ମାମଲାରେ ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଗିରଫ ଆଇନ ଅନୁସାରେ ହୋଇନାହିଁ। ତେବେ ଜୁଡିସିଆଲ୍ କଷ୍ଟୁଡିରେ ମୁକୁଳିବା ପାଇଁ ଦମ୍ପତିଙ୍କୁ ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକା ଦେବାକୁ ପଡ଼ିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।

ଗିରଫ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ କୋଚର ଦମ୍ପତି। ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ସେ ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଶୁକ୍ରବାର ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ହେଲେ ଆଜି ସେମାନଙ୍କୁ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

ସୂଚନା ଅନୁସାରେ ଡିସେମ୍ବର ୨୫ ତାରିଖରେ କୋଚର ଦମ୍ପତିଙ୍କୁ ଗିରଫ କରାଯାଇଥିଲା। ଭିଡିଓକନ-ICICI ବ୍ୟାଙ୍କ ଲୋନ ସମ୍ପର୍କିତ ଏକ ମାମଲାରେ ଗିରଫ କରିଥିଲା ସିବିଆଇ। ଏହାପରେ କୋଚର ଦମ୍ପତି ବେଆଇନ ଗିରଫ ଅଭିଯୋଗ ସହ ଜାନୁଆରୀ ୧୫ ତାରିଖରେ ପୁଅ ବାହାଘର ଅଛି ବୋଲି କହି ଅନ୍ତରୀଣ ଜାମିନ ଆବେଦନ କରିଥିଲେ।

ଚନ୍ଦା କୋଚର ତାଙ୍କ ଅଭିଯୋଗରେ ଦର୍ଶାଇଥିଲା ଯେ ସିବିଆଇ ତାଙ୍କୁ ବେଆଇନ ଭାବେ ଗିରଫ କରିଛି। ଗିରଫ ବେଳେ କୌଣସି ମହିଳା ଅଫିସର ନଥିଲେ। ଯାହା ଧାରା ୪୬(୪)ର ଉଲ୍ଲଂଘନ ବୋଲି କୋଚର ଆବେଦନର ଦର୍ଶାଇଥିଲେ। ତେବେ ସିବିଆଇ କିନ୍ତୁ କୋଚରଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲା। କୌଣସି ନିୟମ ଉଲ୍ଲଂଘନ କରାଯାଇ ନାହିଁ ବୋଲି ସିବିଆଇ କହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.