ନୂଆଦିଲ୍ଲୀ ୨୦।୬: ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବା ପାଇଁ ପାଖାପାଖି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଯାହା ମୋଟ ନିର୍ବାଚନ ଖର୍ଚ୍ଚର ୪୪.୫୬% ବୋଲି କୁହାଯାଇଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ‘ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର) ଶୁକ୍ରବାର ଏହି ସୂଚନା ଦେଇଛି। ବିଜେପି ପଛକୁ ୬୨୦ କୋଟି ଟଙ୍କା ବ୍ୟୟ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ ମୋଟ ନିର୍ବାଚନ ଖର୍ଚ୍ଚର ୧୮.୫% ବ୍ୟୟ କରିଛି।
ଗତ ଲୋକସଭା ନିର୍ବାଚନରେ ରାଜନୈତିକ ଦଳମାନଙ୍କ ବ୍ୟୟ ସମୀକ୍ଷା କରିଛି ଏଡିଆର। ଏଥିରେ ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳଙ୍କ ବ୍ୟୟ ବିଶ୍ଲେଷଣ କରାଯାଇଛି। ଏହି ପାର୍ଟିମାନେ ୧୬ ମାର୍ଚ୍ଚରୁ ୬ଜୁନ ୨୦୨୪ ମଧ୍ୟରେ ଲୋକସଭା ତଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା ଏବଂ ସିକ୍କିମରେ ଏକସଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ମୋଟ ୩୩୫୨.୮୧ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏହି ବ୍ୟୟରେ ଜାତୀୟ ଦଳଙ୍କ ଅଂଶ ୨୨୦୪ କୋଟି ଟଙ୍କା ଅର୍ଥାତ ୬୫.୭୫%ରୁ ଅଧିକ ରହିଛି।
ରିପୋର୍ଟରେ କୁହାଯାଇଛି ଯେ ଏକତ୍ର ହୋଇଥିବା ମୋଟ ରାଶିରେ ଜାତୀୟ ଦଳମାନେ ୬୯୩୦.୨୪୬ କୋଟି ଟଙ୍କା ଅର୍ଥାତ ୯୩.୦୮% ସଂଗ୍ରହ କରିଥିବା ବେଳେ ଆଞ୍ଚଳିକ ଦଳମାନଙ୍କୁ ୫୧୫.୩୨ କୋଟି ଟଙ୍କା ଅର୍ଥାତ ୬.୯୨% ମିଳିଥିଲା। ଏହି ବିଶ୍ଳେଷଣ ବାଧ୍ୟତାମୂଳକ ବ୍ୟୟ ବିବରଣୀ ଆଧାରିତ, ଯାହା ରାଜନୈତିକ ଦଳଙ୍କୁ ସାଧାରଣ ନିର୍ବାଚନର ୯୦ ଦିନ ମଧ୍ୟରେ ଓ ବିଧାନସଭା ନିର୍ବାଚନର ୭୫ ଦିନ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ହୋଇଥାଏ। ତେବେ ଏହି ବିବରଣୀ ଦାଖଲ କରିବାରେ ରାଜନୈତିକ ଦଳମାନେ ବେଶ୍ ବିଳମ୍ବ କରିଥିବା ଏଡିଆର କହିଛନ୍ତି।
ରିପୋର୍ଟ ଅନୁସାରେ ଆମ ଆଦମୀ ପାର୍ଟି (ଆପ)ର ବ୍ୟୟ ବିବରଣୀ ୧୬୮ ଦିନ ବିଲମ୍ବରେ ମିଳିଥିବା ବେଳେ ବିଜେପିର ବ୍ୟୟ ବିବରଣୀ ୧୩୯ ଦିନରୁ ୧୫୪ ଦିନ ବିଳମ୍ବରେ ମିଳିଥିଲା। ଏଡିଆର ଅନୁସାରେ କେବଳ କଂଗ୍ରେସ ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଏକ ସମନ୍ବିତ ବ୍ୟୟ ରିପୋର୍ଟ ଦାଖଲ କରିଥିଲା। ବ୍ୟୟ ସୂଚୀରେ ନିର୍ବାଚନ ପ୍ରଚାର ଶୀର୍ଷ ସ୍ଥାନରେ ଥିବା ବେଳେ ଏଥି ପାଇଁ ପାର୍ଟିମାନେ ୨୦୦୮ କୋଟି ଟଙ୍କା ବ୍ୟୟ କରିଛନ୍ତି, ଯାହା ସେମାନଙ୍କ ମୋଟ ଘୋଷିତ ବ୍ୟୟର ୫୩%ରୁ ଅଧିକ ଥିଲା। ଏହା ପଛକୁ ଯାତ୍ରାବ୍ୟୟ ୭୯୫ କୋଟି ଟଙ୍କା ଦର୍ଶାଇଛନ୍ତି।
ପ୍ରାର୍ଥୀମାନେ ଏକକାଳୀନ ପୈଠ ରୂପେ ୪୦୨କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପାର୍ଟିମାନେ ଡିଜିଟାଲ ମାଧ୍ୟମରେ ନିର୍ବାଚନ ପ୍ରଚାର ନିମନ୍ତେ ୧୩୨ କୋଟି ଟଙ୍କା ବ୍ୟୟ କରିଛନ୍ତି। ୩୨ଟି ରାଜନୈତିକ ଦଳଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ପାଇଁ କରାଯାଇଥିବା ମୋଟ ଖର୍ଚ୍ଚରୁ ଜାତୀୟ ଦଳଙ୍କ ଦ୍ୱାରା ୧୫୧୧.୩୦ କୋଟି ଅର୍ଥାତ ୭୫.୨୫ ପ୍ରତିଶତ ବ୍ୟୟ କରିଥିବା ବେଳେ ଆଞ୍ଚଳିକ ଦଳଙ୍କ ଦ୍ୱାରା ୪୯୬.୯୯ କୋଟି ଟଙ୍କା ଅର୍ଥାତ ୨୪.୭୫% ଖର୍ଚ୍ଚ କରାଯାଇଛି।