ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି, ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | November 27, 2020 IST

ପାଟନା ୨୭/୧୧: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦିଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ଭାରତୀୟ ଜନତା ପାର୍ଟି  (ବିଜେପି)। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନଙ୍କ ନିଧନ ପରେ ରାଜ୍ୟସଭା ସିଟ୍‌ ଖାଲି ପଡ଼ିଥିବାରୁ ବିଜେପି ସୁଶିଲ ମୋଦିଙ୍କୁ ପ୍ରାର୍ଥୀ କରିଛି। ତେବେ ଏନେଇ ସଞ୍ଜୟ ମୟୁଖ ସୂଚନା ଦେଇଛନ୍ତି।

ରାଜ୍ୟସଭା ଉପ ନିର୍ବାଚନରେ ସୁଶିଲ କୁମାର ମୋଦିଙ୍କୁ ବିଜେପି ପ୍ରାର୍ଥୀ କରି ଏଲଜେପି ନେତା ତଥା ରାମବିଳାସ ପାଶଓ୍ବାନଙ୍କ ପୁଅ ଚିରାଗ ପାଶଓ୍ବାନଙ୍କୁ ଝଟକା ଦେଇଛି। ଏହା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ସୁଶିଲ ମୋଦିଙ୍କୁ ମନ୍ତ୍ରୀ ପଦ ଦେଇପାରେ ବିଜେପି। ସୁଶିଲ ମୋଦିଙ୍କ ସମେତ ମଧ୍ୟପ୍ରଦେଶର ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ମଧ୍ୟପ୍ରଦେଶରେ ହୋଇଥିବା ଉପ ନିର୍ବାଚନରେ ବିଜେପି ବାଜିମାତ କରିଥିଲା। ଏଥିରେ ସିନ୍ଧିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ।

{"id":294561,"sizeSlug":"large"}

୧୪ ଡିସେମ୍ବରରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ୩ ଡିସେମ୍ବରରୁ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବ। ବିହାର ରାଜନୀତିରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ସୁଶିଲ ମୋଦି ଲଗାତର ୧୫ ବର୍ଷ ହେଲା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଆସୁଥିଲେ। କିନ୍ତୁ ବିଧାନସଭା ନିର୍ବାଚନ ପରେ ବିଜେପି ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ନକରି ତାରାକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଦାୟୀତ୍ବ ଦେଇଛି।

ରାଜ୍ୟସଭା ସିଟ୍‌ ପାଇଁ ନାମାଙ୍କନ ଭରିବାର ଶେଷ ତାରିଖ ଡି​‌ସେମ୍ବର ୩ତାରିଖ ଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ୭ ଡିସେମ୍ବର। ଆବଶ୍ୟକ ସ୍ଥଳେ ୧୪ ଡିସେମ୍ବରରେ ମତଦାନ ହୋଇପାରେ। ଏହାପରେ ଫଳାଫଳ ପ୍ରକାଶ ପାଇବ। ତେବେ ସୁଶିଲ ମୋଦି ରାଜ୍ୟସଭା ଯିବା ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି।

{"id":368694,"sizeSlug":"large"}

ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ସୁଶିଲ ମୋଦି ୧୯୭୩ରେ ପାଟନା କଲେଜରେ ସାଧାରଣ ସମ୍ପାଦକ ହୋଇଥିବା ବେଳେ ଲାଲୁ ଯାଦବ ସଭାପତି ହୋଇଥିଲେ। ଏହା ପରେ ୧୯୭୪ରେ ବିହାର ପ୍ରଦେଶ ଛାତ୍ର ସଂଘର୍ଷ ସମିତିର ସଦସ୍ୟ ହୋଇଥିଲେ ସୁଶିଲ ମୋଦି। ପରେ ପରେ ସେ ଜୟ ପ୍ରକାଶ ନାରାୟଣଙ୍କ  ଆନ୍ଦୋଳନ ‘ଜେପି ମୁଭ୍‌ମେଣ୍ଟ’, ‘ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ’ ଯୋଡ଼ି ହୋଇଥିଲେ। ପରେ ୧୯୯୦ରେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଥିଲେ ସୁଶିଲ ମୋଦି। ସେହିବର୍ଷ ପାଟନା ସେଣ୍ଟ୍ରାଲ୍‌ ସିଟ୍‌ (ବର୍ତ୍ତମାନ କୁମ୍ହରାର)ରୁ ସୁଶିଲ ମୋଦି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ଏବଂ ବିଜୟ ଲାଭ କରିଥିଲେ। ପରେ ଏହି ସିଟ୍‌ରୁ ଦୁଇ ଥର ଛିଡ଼ା ହେବା ସହ ଜିତିଥିଲେ ସୁଶିଲ ମୋଦି। ସେବେ ଠାରୁ ଆଜି ପର୍ଯ୍ୟନ୍ତ ବିହାର ରାଜନୀତିରେ ସକ୍ରିୟ ଅଛନ୍ତି ସୁଶିଲ କୁମାର ମୋଦି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.