ଦିଲ୍ଲୀରେ ବିଜେପି ଡାକିଲା ଉଚ୍ଚସ୍ତରୀୟ ବୈଠକ, ବିଧାନସଭା ନିର୍ବାଚନ ପରେ ଏବେ ୨୦୨୪ ଲୋକସଭା ନିର୍ବାଚନ ଉପରେ ଫୋକସ

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଲୀ ୪।୧୨: ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସହିତ ବିଜେପି ମିସନ ୨୦୨୪ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାର୍ଟି ଅଧ୍ୟକ୍ଷ ଜେ.ପି.ନଡ୍ଡା ଦିଲ୍ଲୀରେ ଦୁଇ ଦିବସୀୟ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରିଛନ୍ତି। ଏହି ବୈଠକରେ ବିଜେପିର ତମାମ ଜାତୀୟ ଅଧିକାରୀ ଯୋଗ ଦେବେ। ଏହି ବୈଠକ ଦିଲ୍ଲୀରେ ୫ ଓ ୬ ଡିସେମ୍ବରରେ ଅନୁଷ୍ଠିତ ହେବ। ବୈଠକରେ ଜାତୀୟ ପଦାଧିକାରୀଙ୍କ ସମେତ ସବୁ ରାଜ୍ୟଙ୍କ ପ୍ରଭାରୀ ଓ ସହପ୍ରଭାରୀ ମାନେ ମଧ୍ୟ ଅଂଶଗ୍ରହଣ କରିବେ।

ପାର୍ଟିର ସବୁ ମୋର୍ଚ୍ଚା ପ୍ରଭାରୀ, ପ୍ରଦେଶ ସଭାପତି, ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀଙ୍କୁ ମଧ୍ୟ ବୈଠକରେ ଯୋଗ ଦେବା ଲାଗି ଆମନ୍ତ୍ରିତ କରାଯାଇଛି। ଏହି ଦୁଇ ଦିବସୀୟ ବୈଠକର ଉଦଘାଟନ ସମାରୋହକୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି। ୫ ଡିସେମ୍ବର ପୂର୍ବାହ୍ନ ପ୍ରାୟ ୧୧ ଟା ବେଳକୁ ପ୍ରଧାନମନ୍ତ୍ରୀ ଉଦଘାଟନ ଭାଷଣ ଦେବେ। ଏଥିଲାଗି ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ଭୋଟ ଦେବା ପରେ ତୁରନ୍ତ ଦିଲ୍ଲୀ ବାହାରିଯିବେ। ଦିଲ୍ଲୀ ପହଞ୍ଚି ସେ ବିଜେପି ବୈଠକକୁ ସମ୍ବୋଧିତ କରିବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ବୈଠକରେ ଯୋଗ ଦେଇ ପାରନ୍ତି। ଏହି ବୈଠକରେ ନିର୍ବାଚନ ସମ୍ପର୍କିତ ସବୁ ପ୍ରସଙ୍ଗରେ ବିଜେପିର ବିଜେପି ଜାତୀୟ ଅଧ୍ୟକ୍ଷ ଓ ପାର୍ଟିର ଜାତୀୟ ପଦାଧିକାରୀଙ୍କ ଆଲୋଚନା ହେବ। ଜାତୀୟ ପଦାଧିକାରୀଙ୍କ ବୈଠକରେ ଯେଉଁ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି ସେହି ସବୁ ରାଜ୍ୟର ନିର୍ବାଚନ ସମ୍ବଦ୍ଧିତ ରିପୋର୍ଟ ଉପରେ ଆଲୋଚନା କରାଯିବ। ଗୁଜରାଟ ଓ ହିମାଚଳ ପ୍ରଦେଶ ପ୍ରଭାରୀ ବିଧାନସଭା ନିର୍ବାଚନକୁ ନେଇ ସେମାନଙ୍କ ରିପୋର୍ଟ ଉପସ୍ଥାପନା କରିବେ। ସେହିପରି ଦିଲ୍ଲୀ ପ୍ରଭାରୀ ଏମସିଡି ନିର୍ବାଚନ ସମ୍ପର୍କିତ ରିପୋର୍ଟ ମଧ୍ୟ ଦେବେ ବୋଲି ଜଣାପଡିଛି।

କୁହାଯାଉଛି ଆଗାମୀ ବର୍ଷ ଯେଉଁ ରାଜ୍ୟମାନଙ୍କର ନିର୍ବାଚନ ହେବାକୁ ଅଛି ସେହି ସବୁ ରାଜ୍ୟ ପ୍ରଭାରୀଙ୍କୁ ସେମାନଙ୍କ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ନେଇ ରିପୋର୍ଟ ବୈଠକରେ ଉପସ୍ଥାପନ କରିବେ। ଆଗାମୀ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, କର୍ଣ୍ଣାଟକ, ତ୍ରିପୁରା, ମିଜୋରାମ, ମେଘାଲୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଗାମୀ ବର୍ଷର ଏହି ସବୁ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.