ନୂଆଦିଲ୍ଲୀ ୧୯।୧୦: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଝାଡଖଣ୍ଡ ରାଜ୍ୟ ସରକାରଙ୍କୁ କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (ଆକ୍ଟିଂ ଡିଜିପି) ପଦରୁ ଅନୁରାଗ ଗୁପ୍ତାଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇସିଆଇ ୧୯ ଅକ୍ଟୋବର ଶନିବାର ଏକ ଆଦେଶ ଜାରି କରି କହିଛନ୍ତି ଯେ କାର୍ଯ୍ୟକାରୀ ଡିଜିପିଙ୍କୁ ହଟାଇ କ୍ୟାଡରରେ ମହଜୁଦ ସବୁଠୁ ବରିଷ୍ଠ ଡିଜିପି ସ୍ତରର ଅଧିକାରୀଙ୍କୁ କାର୍ଯ୍ୟଭାର ଅର୍ପଣ କରାଯିବା ଦରକାର। ଗତ ନିର୍ବାଚନ କାଳରେ ଅନୁରାଗ ଗୁପ୍ତାଙ୍କ ବିରୋଧରେ ଆୟୋଗଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନର ଇତିହାସକୁ ଧ୍ୟାନରେ ରଖି ଏହି ଆଦେଶ ଦିଆଯାଇଛି।
୨୦୧୯ ଲୋକସଭା ନିର୍ବାଚନ କାଳରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପକ୍ଷରୁ ପାତର ଅନ୍ତର ଆଚରଣର ଅଭିଯୋଗ ପରେ ଅନୁରାଗ ଗୁପ୍ତାଙ୍କୁ ଏଡିଜି ଝାଡଖଣ୍ଡ ରୂପେ ତାଙ୍କ କାର୍ଯ୍ୟରୁ ରିଲିଫ କରିଦିଆଯାଇଥିଲା ଓ ତାଙ୍କୁ ସେ ସମୟରେ ଦିଲ୍ଲୀ ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ନିଯୁକ୍ତ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ପୁରା ହେବା ପର୍ଯ୍ୟନ୍ତ ତାଙ୍କର ଝାଡଖଣ୍ଡ ପ୍ରତ୍ୟାବର୍ତ୍ତନ ଉପରେ ରୋକ ଲଗାଇ ଦିଆଯାଇଥିଲା।
ଏହା ଛଡା ୨୦୧୬ ମସିହାରେ ଝାଡଖଣ୍ଡ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ କାଳରେ ତତ୍କାଳୀନ ଅତିରିକ୍ତ ଡିଜିପି ଅନୁରାଗ ଗୁପ୍ତାଙ୍କ ବିରୋଧରେ ତାଙ୍କ ପଦର ଦୂରୁପୋଯୋଗ ଅଭିଯୋଗ ହୋଇଥିଲା। ସେତେବେଳେ ନିର୍ବାଚନ ଆୟୋଗ ଏକ ଯାଞ୍ଚ କମିଟି ଗଠନ କରିଥିଲେଏହି କମିଟିର ନିଷ୍କର୍ସ ଆଧାରରେ ବିଭାଗୀୟ ଯାଞ୍ଚ ଲାଗି ତାଙ୍କ ବିରୋଧରେ ଅଭିଯୋଗପତ୍ର ଜାରି କରାଯାଇଥିଲା। ତାଙ୍କ ବିରୋଧରେ ଜଗନ୍ନାଥପୁର ଥାନାରେ ୨୯.୦୩.୨୦୧୮ରେ ଆଇପିସିର ଧାରା ୧୭୧(ବି), ୧୭୧- (ସି)(ଏଫ୍)ରେ ମୋକଦ୍ଦମା ରୁଜୁ କରାଯାଇଥିଲା। ଏହା ପରେ ୨୦୨୧ ମସିହାରେ ଝାଡଖଣ୍ଡ ସରକାର ଭ୍ରଷ୍ଟାଚାର ଅଧିନିୟମ ୧୯୮୮ର ଧାରା ୧୭(ଏ)ରେ ତଦନ୍ତ ଲାଗି ଅନୁମତି ଦେଇଥିଲେ।