ଭୁବନେଶ୍ୱରର ବହୁ ଚର୍ଚ୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ମାମଲା; ଖୁବ ଶୀଘ୍ର ପ୍ରକାଶ ପାଇବ ରାୟ

Published By : Prameya-News7 Bureau | September 30, 2018 IST

ଭୁବନେଶ୍ୱର ୩୦/୯ : ନୟାପଲ୍ଲୀରେ ଘଟିଥିବା ବହୁ ଚର୍ଚ୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡ ଘଟଣା ଏବେ ରହସ୍ୟ ଘେରରେ । ଉଷାଶ୍ରୀଙ୍କୁ ତାଙ୍କ ସ୍ବାମୀ ଅବସରପ୍ରାପ୍ତ କର୍ଣେଲ ସୋମନାଥ ପରିଡା ତିନି ଶହ ଖଣ୍ଡ କରି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ଘଟଣାକୁ ବିତିଲାଣି ଦୀର୍ଘ ୫ ବର୍ଷ । ତେବେ ଏହି ଘଟଣାରେ କର୍ଣେଲ ଦଣ୍ଡ ପାଇବେ ନା ଖସିଯିବେ । ତା ଉପରେ ଏବେ ସମସ୍ତଙ୍କ ନଜର । ତେବେ ଖୁବ ଶିଘ୍ର ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି । ପାଞ୍ଚ ବର୍ଷ ତଳେ ନାୟାପଲ୍ଲୀ ଅଂଚଳରେ ଘଟିଥିଲା ଏହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ଯାହା ସେତେବେଳେ ଭୁବନେଶ୍ବରରେ ନୁହଁ ସାରା ଦେଶରେ ଛାତି ଥରାଇ ଦେଲା ଭଳି ଅାଲୋଡନ ସୃଷ୍ଟି କରିଥିଲା । କୋର୍ଟରେ ସାକ୍ଷ୍ୟ ଗ୍ରହଣ ବି ଶେଷ ପର୍ଯ୍ୟାୟରେ । କର୍ଣେଲ ଏବେ ଜେଲରେ । ତେବେ ସେ ତାଙ୍କ ପତ୍ନୀଙ୍କୁ କାହିଁକି ଏଭଳି ବିଭତ୍ସଭାବେ ହତ୍ୟା କଲେ ? କଣ ଥିଲା ତାଙ୍କ ଉଦେଶ୍ୟ ? ତା ବର୍ତମାନ ଜାଏଁ ରହସ୍ୟ ହୋଇ ରହିଛି । ଜୁନ ୨୧ ତାରିଖ । ମସିହା ୨୦୧୩ । ସେଦିନ ଏହି ଚର୍ଚିତ ହତ୍ୟାକାଣ୍ଡ ଘଟିଥିଲା । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ସତେ ଯେମିତି ନକ୍ସା ପ୍ରସ୍ତୁତ କରି ରଖିଥିଲେ । ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଘରର ସମସ୍ତ କବାଟ ଝର୍କା ବନ୍ଦ କରି ରହିଥିଲେ । ଏପରକି ଝିଅ ଲେଖା ପରିଡା ଫୋନ କରି ତାଙ୍କ ମା ଉଷାଶ୍ରୀଙ୍କ ବିଷୟରେ ପଚାରିଥିଲେ । ମାତ୍ର କର୍ଣେଲ ଉଶାଶ୍ରୀଙ୍କ ଦେହ ଖରାଫ ଥିବା କହି ବାରମ୍ବାର ଝିଅର ଫୋନ କାଟି ଦେଉଥିଲେ । ଯାହାକୁ ନେଇ ତାଙ୍କ ଝିଅଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲେ । ତା ସହ ନୟାପଲୀ ଥାନକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । ଶେଷରେ ଉଷାଶ୍ରୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଲା । ପୋଲିସ କର୍ଣେଲଙ୍କ ନୟାପଲୀ ଘରୁ ୨୧ ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସ ଜବତ କରିଥିଲା ଯେଉଁଥିରେ ଉଷାଶ୍ରୀଙ୍କ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ରଖାଯାଇଥିଲା । ଏପରିକି ଉଷାଶ୍ରୀ ମୁଣ୍ଡ ଭର୍ତି ଗୋଟିଏ ଟିଫିନ, ଅାରି, କରତ, ୨୫ ବୋତଲ ଫିନାଇଲ, ଚଟାଣ ସଫେଇ ଏସିଡ ଜବତ କରିଥିଲା ପୋଲିସ । ସୋମନାଥଙ୍କ ଲାଏ ଡିଟେକସନ କରିଥିଲା ପୋଲିସ । ତେବେ ସୋମନାଥ ତାଙ୍କ ପତ୍ନୀଙ୍କ ହତ୍ୟା କରିନଥିବା କହିଥିଲେ । ଉଷାଶ୍ରୀ ଅାତ୍ମହତ୍ୟ କରିଥିବା ବାରମ୍ବାର ସୋମନାଥ ଦହରାଉ ଥିଲେ । ସେପଟେ ପୋଲିସ ପକ୍ଷରୁ ୭୦ ପୃଷ୍ଠାର ଚାର୍ଜସିଟ କୋର୍ଟରେ ଦାଖଲ ହୋଇଛି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଏହା ଏକ କୋଲ୍ଡ ବ୍ଳଡେଡ ମର୍ଡର । ହତ୍ୟାରେ ଏକ ପିତ୍ତଳ ଟର୍ଚ ବ୍ୟବହାର ହୋଇଥିଲା । ଯେଉଁଥିରେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଚାର୍ଜସିଟରେ କୁହାଯାଇଛି । ଏପରିକି ଉଷାଶ୍ରୀଙ୍କ ଡିଏନଏ, ଭେସେରା, ଖପୁରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ସମୁଦାୟ ଘଟଣାରେ ୨୯ ଜଣଙ୍କର ସାକ୍ଷ୍ୟ ମଧ୍ୟ ଗ୍ରହଣା କରାଯାଇଥିଲା । ତିନିମାସ ତଳେ ମାନ୍ୟବର ହାଇକୋର୍ଟ ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ନିଦେର୍ଶ ଦେଇଛନ୍ତି । ଯାହାକୁ ନେଇ ଏବେ ଉତକଣ୍ଠା ବଢିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.