ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲରେ ଶୁଣାଣି ଆରମ୍ଭ, RSS ଉପରେ କରିଥିଲେ ଟିପ୍ପଣୀ

Published By : Prameya-News7 Bureau | June 03, 2023 IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅନ୍ୟ ଏକ ମାନହାନୀ ମାମଲାରେ ଶନିବାର ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସକୁ ଦୋଷୀ କହିବା ବୟାନ ଉପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି ।

ରାହୁଲ ଗାନ୍ଧୀଙ୍କ ଓକିଲ ଅନ୍ୟ ଓକିଲଙ୍କ ନାଁ ସହ ସତ୍ୟପାଠ ଦାଖଲ କରିଛନ୍ତି ଯେଉଁମାନେ ତାଙ୍କ ପାଇଁ କୋର୍ଟରେ ପକ୍ଷ ରଖିବେ । ମାମଲାର ଶୁଣାଣିର ପ୍ରଥମ ଦିନରେ କୋର୍ଟ ଆବେଦନକାରୀ ରାଜେଶ କୁଣ୍ଟେଙ୍କ ବୟାନ ରୁଜୁ କରିଛନ୍ତି । ଜୁଲାଇ ୧ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ବେଳେ ମଧ୍ୟ ସେ ଉପସ୍ଥିତ ରହିବେ । ଶନିବାର ଶୁଣାଣି ବେଳେ ଅଭିଯୋଗକାରୀ କୋର୍ଟରେ କଂଗ୍ରେସ ନେତାଙ୍କ ଭାଷଣର ଏକ ଡିଭିଡି ମଧ୍ୟ ଦାଖଲ କରିଥିଲେ ।

ଆବେଦନକାରୀ କୁଣ୍ଟେଙ୍କ ଓକିଲ ପ୍ରମାଣ ରୂପେ ସାତଟି ଦସ୍ତାବିଜ ଦାଖଲ କରିଥିଲେ, କିନ୍ତୁ ରାହୁଲ ଗାନ୍ଧୀଙ୍କ ଓକିଲ ଆଡଭୋକେଟ୍ ନାରାୟଣ ଆୟର ଆପତ୍ତି ଉଠାଇ ତାଙ୍କୁ କପି ଦିଆଯାଇ ନାହିଁ ବୋଲି କହିଥିଲେ । ଆରଏସଏସ କାର୍ଯ୍ୟକର୍ତ୍ତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସହ ଆରଏସଏସକୁ ଯୋଡି ବଦନାମ କରିଥିବା ଅଭିଯୋଗ ଆଣିଛନ୍ତି ।

୨୦୧୪ରେ ଏକ ରାଲିରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ବିରୋଧରେ ବୟାନ ଦେଇ ମହାତ୍ମା ଗାନ୍ଧୀଙ୍କ ହତ୍ୟାରେ ସାମିଲ ଥିବା ନେଇ କଂଗ୍ରେସ ନେତାଙ୍କ ଟିପ୍ପଣୀ ଉପରେ ରାଜେଶ କୁଣ୍ଟେ ମାମଲା ରୁଜୁ କରାଇଥିଲେ । ଅଭିଯୋଗରେ ଦାବି କରାଯାଇଛି ଯେ କଂଗ୍ରେସ ନେତାଙ୍କ ବୟାନ ମିଛ ଥିଲା ଏବଂ ଏହାଦ୍ୱାରା ଆରଏସଏସ ଛବି ମଳନି ହୋଇଛି ।

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମାର୍ଚ୍ଚରେ ଗୁଜରାଟର ସୁରଟ କୋର୍ଟ ମାନହାନୀର ଅନ୍ୟ ଏକ ମାମଲାରେ ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଏହାପରେ ତାଙ୍କର ସଦସ୍ୟତା ରଦ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.