ବିସିସିଆଇ ଆଣିଲା ନୂଆ ପ୍ଲାନ୍‌; ବର୍ଷା ଆସିଲେ ବି ଆଇପିଏଲ୍‌ ଉପରେ ପଡିବନି ପ୍ରଭାବ

Published By : Prameya-News7 Bureau | May 21, 2025 IST

ନୂଆଦିଲ୍ଲୀ ୨୧।୦୫: ଶେଷ ଆଡକୁ ମୁହାଁଇଛି ଆଇପିଏଲ୍‌ । ଲିଗ୍ ପର୍ଯ୍ୟାୟର କେବଳ ବାକି ଅଛି କିଛି ମ୍ୟାଚ୍ । ଏହାପରେ ଆରମ୍ଭ ହେବ ପ୍ଲେଅଫ୍ ମ୍ୟାଚ୍ । କିନ୍ତୁ ମ୍ୟାଚ୍‌ ସମୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଯେଉଁ କାରଣରୁ ଆଇପିଏଲ ମ୍ୟାଚ୍ ହୋଇପାରୁନି । ଚଳିତ ବର୍ଷ ଏପର୍ଯ୍ୟନ୍ତ IPLରେ ତିନୋଟି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଛି । ଯାହା ଟିମ୍‌ ଉପରେ ପକାଇଛି ବହୁତ ଖରାପ ପ୍ରଭାବ । ଏନେଇ ବିସିସିଆଇ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି । ବିସିସିଆଇ ପ୍ଲାନ୍‌ ଅନୁଯାୟୀ ବର୍ଷା ହେଲେ ବି ମ୍ୟାଚ୍ ଉପରେ ପଡିବନି କୌଣସି ପ୍ରଭାବ । ଏଥିପାଇଁ ପୂରା ପ୍ରୟାସ କରାଯାଉଛି । 

ଆଇପିଏଲ ୨୦୨୫ର ଲିଗ୍ ପର୍ଯ୍ୟାୟ ୨୭ ମଇରେ ଶେଷ ହେବ । ଏହି ଦିନ ଶେଷ ଲିଗ୍ ମ୍ୟାଚ୍ ଖେଳାଯିବ। ଏହାପରେ କ୍ୱାଲିଫାୟର, ଏଲିମିନେଟର ଏବଂ ଫାଇନାଲର ମ୍ୟାଚ ଖେଳାଯିବ । ଏହାର ଅର୍ଥ ହେଉଛି ଆଗାମୀ ଦିନରେ ମ୍ୟାଚ୍‌ଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇବ । କିନ୍ତୁ ଯଦି ମ୍ୟାଚ୍ ପାଇଁ ବାଧା ସାଜିବ ବର୍ଷା ତେବେ ଟିମ୍‌ ଗୁଡିକ ଅସୁବିଧାରେ ପଡ଼ିବେ । ଏପରିସ୍ଥିତିରେ ବିସିସିଆଇ ଏହାକୁ ଏଡାଇବା ପାଇଁ ଏକ ଉପାୟ ଖୋଜି ପାଇଛି । ଆଇପିଏଲ ନିୟମ ଅନୁଯାୟୀ, ଯଦି ବର୍ଷା ହୁଏ ତେବେ ମ୍ୟାଚ୍ ବନ୍ଦ ହୋଇଯାଉଥିଲା । ଏଥିପାଇଁ ୬୦ ମିନିଟ୍ ଅତିରିକ୍ତ ସମୟ ରଖାଯାଇଥିଲା, କିନ୍ତୁ ଏବେ ଏହାକୁ ୧୨୦ ମିନିଟ୍‌କୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ଅତିରିକ୍ତ ସମୟ ୬୦ ମିନିଟ୍‌କୁ ଦ୍ୱିଗୁଣିତ କରାଯାଇଛି । ପ୍ଲେଅଫ୍‌ ପୂର୍ବରୁ ୧୨୦ ମିନିଟ୍‌ର ଅତିରିକ୍ତ ସମୟ ସୀମା ରହିଛି । ଯାହା ନୂଆ କାର୍ଯ୍ୟସୂଚୀ ଘୋଷଣା ନ ହେବା ପର୍ଯ୍ୟନ୍ତ ସେହିପରି ରହିବ।

ବିସିସିଆଇ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଏହି ନିୟମ ୨୦ ମଇ ଅର୍ଥାତ୍ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହୋଇଛି । ଏପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ କଟଅଫ୍ ସମୟ ରାତି ୧୦:୫୬ ଥିଲା, ଯାହାକୁ ଏବେ ରାତି ୧୧:୫୬ କରାଯାଇଛି । ଅର୍ଥାତ୍, ଯଦି ବର୍ଷା ଯୋଗୁଁ କୌଣସି ମ୍ୟାଚ୍ ବାତିଲ ହୁଏ, ତେବେ ଏହାର ଆନୁଷ୍ଠାନିକ ଘୋଷଣା ସେହି ସମୟରେ ହିଁ କରାଯିବ । ଏହା ପୂର୍ବରୁ ମ୍ୟାଚ୍ ଆୟୋଜନର ସମସ୍ତ ସମ୍ଭାବନା ଅନୁସନ୍ଧାନ କରାଯିବ। ଯଦି ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ମ୍ୟାଚ୍ ଖେଳାଯାଇପାରିବ ନାହିଁ, ତେବେ ପ୍ରତି ଦଳ ଅତିକମରେ ୫ ଓଭର ଖେଳାଯିବା ଉଚିତ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଛି । ଯଦି ଏତେ ମ୍ୟାଚ୍ ମଧ୍ୟ ସମ୍ଭବ ନହୁଏ ତେବେ କେବଳ ଏହାକୁ ବାତିଲ କରାଯାଏ।

ବିସିସିଆଇର ଏହି ନିୟମ ଟିମ୍‌ ଗୁଡିକୁ ଆଶ୍ୱସ୍ତି ଦେବ । ଯଦିଓ ଅନେକ ଟିମ୍‌ ପାଇଁ IPL ଶେଷ ହୋଇସାରିଛି, କିନ୍ତୁ ବର୍ତ୍ତମାନ ଶୀର୍ଷରେ ଥିବା ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି, ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ତଥାପି ବର୍ଷା ସମ୍ଭାବନା ଯୋଗୁଁ ବିସିସିଆଇ ମେ ୨୩ ତାରିଖରେ ବେଙ୍ଗାଲୁରୁରେ ହେବାକୁ ଥିବା ମ୍ୟାଚ୍‌କୁ ଲକ୍ଷ୍ନୌକୁ ସ୍ଥାନାନ୍ତର କରିସାରିଛି । ବାକି ମ୍ୟାଚ୍‌ଗୁଡ଼ିକରେ ବର୍ଷା ହେବ କି ନାହିଁ ତାହା ଦେଖିବାକୁ ବାକି ଅଛି । ତଥାପି ବିସିସିଆଇ ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବା ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା କରିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.