ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଦୁନିଆର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ଭାବେ ଗଣାଯାଏ । ଏହି ସଫଳତା ପଛରେ ଆଇପିଏଲ୍ର ବହୁତ ବଡ଼ ଯୋଗଦାନ ରହିଛି । ନିକଟରେ ବିସିସିଆଇର ଆର୍ଥିକ ବର୍ଷ ୨୦୨୩-୨୪କୁ ନେଇ ଏକ ବଡ଼ ରିପୋର୍ଟ ସାମନାକୁ ଆସିଛି । ରିପୋର୍ଟ ଅନୁସାରେ ବୋର୍ଡ ୨୦୨୩-୨୪ ଆର୍ଥିକ ବର୍ଷରେ ଯାହା ଆୟ କରିଛି, ସେଥିରୁ ୫୯ ପ୍ରତିଶତ ଆଇପିଏଲ୍ରୁ ମିଳିଛି । ସେତେବେଳେ ବିସିସିଆଇ ସଚିବ ଜୟ ଶାହ ଥିଲେ । ବୋର୍ଡର ସଚିବ ଦାୟିତ୍ୱ ତୁଲାଇବା ପରେ ବୋର୍ଡକୁ ମାଲାମାଲ୍ କରି ଦେଇଥିଲେ ।
ଦ ହିନ୍ଦୁ ବିଜନେସ୍ ଲାଇନ୍ର ରିପୋର୍ଟ ଅନୁସାରେ ବିସିସିଆଇ ଆର୍ଥିକ ବର୍ଷ ୨୦୨୩-୨୪ରେ ୯୪୪୧.୭ କୋଟି ଟଙ୍କା ଆୟ କରିଥିଲା । ଏଥିରୁ କେବଳ ଆଇପିଏଲ୍ରୁ ୫୭୬୧ କୋଟି ଟଙ୍କା ଆୟ କରିଥିଲା । ଏହାର ଅର୍ଥ ଆୟରେ ଆଇପିଏଲ୍ ୫୯ ପ୍ରତିଶତ ଯୋଗଦାନ ଦେଇଛି । ରିପୋର୍ଟ ଅନୁସାରେ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ବ୍ରଡକାଷ୍ଟିଂ ଅଧିକାର ସହ ଅଣ-ମିଡିଆ ଅଧିକାର ବିକ୍ରିରୁ ବିସିସିଆଇ ୩୬୧ କୋଟି ଟଙ୍କା ଆୟ କରିଥିଲା ।
ଏହା ବ୍ୟତୀତ ଆଲୋଚ୍ୟ ଆର୍ଥିକ ବର୍ଷରେ ବିସିସିଆଇ ଋଣ ଉପରେ ସୁଧ ବାବଦକୁ ୯୮୭ କୋଟି ଟଙ୍କା ଆୟ କରିଥିଲା । ଏହି ଅବଧିରେ ଆଇସିସି ଡିଷ୍ଟ୍ରିବ୍ୟୁସନରୁ ୧୦୪୨ କୋଟି ଟଙ୍କା ପାଇଥିଲା । ଆଇପିଏଲ୍କୁ ଛାଡ଼ିଲେ ବିସିସିଆଇ ନିଜ ରେଭେନ୍ୟୁ ବଢାଇବା ପାଇଁ ରଣଜୀ ଟ୍ରଫି, ଦଲୀପ ଟ୍ରଫି, ସିକେ ନାଇଡୁ ଟ୍ରଫି ପରି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥାଏ । ଏହିସବୁ ଘରୋଇ ଟୁର୍ଣ୍ଣାମେଣ୍ଟରୁ ବୋର୍ଡକୁ ଲାଭ ହୋଇଥାଏ । ଏହାର ଅନୁମାନ ଏଥିରୁ କରାଯାଇପାରିବ ଯେ, ବୋର୍ଡ ପାଖରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ରିଜର୍ଭ ଅଛି ।
ବିସିସିଆଇ ଆଇପିଏଲ୍ର ସଫଳତା ପରେ ମହିଳା ପ୍ରିମିୟର ଲିଗ୍ ଆରମ୍ଭ କରିଥିଲା । ଏଥିରୁ ୨୦୨୩-୨୪ ସିଜନରେ ବୋର୍ଡ ୩୭୮ କୋଟି ଟଙ୍କା ମିଳିଛି । ପୁରୁଷ କ୍ରିକେଟ୍ ଟିମରୁ ବୋର୍ଡ ୨୦୨୩-୨୪ ଆର୍ଥିକ ବର୍ଷରେ ୩୬୧ କୋଟି ଟଙ୍କା ଆୟ କରିଥିଲା । ଏହାଛଡ଼ା ଅନ୍ୟାନ୍ୟ ମାର୍ଗରୁ ବିବିସିଆଇ ୪୦୦ କୋଟି ଟଙ୍କା ଆୟ କରିଥିଲା ।