ବାରବାଟୀ ମୁକାବିଲା ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ଶନିବାର ନେଟ୍ସ ପ୍ରାକ୍ଟିସ୍ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି

Published By : Prameya-News7 Bureau | June 11, 2022 IST

କଟକ, ୧୧|୦୬:  ବାରବାଟୀରେ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ଟକ୍କର ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ପବିବାର ସଂଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ । ଶନିବାର ଉଭୟ ଟିମ୍ ର ଖେଳାଳି ବାରବାଟୀ ଗ୍ରାଉଣ୍ଡକୁ ଯାଇ ନେଟ୍ ପ୍ରାକ୍ଟିସ୍ କରିବେ । ତେଣୁ ଖେଳାଳିମାନଙ୍କୁ ଭୁବନେଶ୍ବରରୁ କଟକ ନେବା ଠାରୁ ଆରମ୍ଭ କରି ପିଚ୍ ରେ ପ୍ରାକ୍ଟିସ୍ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ବ୍ୟବସ୍ଥାର କରାଯାଇଛି ।

ରବିବାର ବାରବାଟୀରେ ଟି-ଟ୍ବେଣ୍ଟି ଟକ୍କର । ଆମ୍ନା ସାମ୍ନା ହେବେ ଟିମ୍ ଇଣ୍ଡିଆ ଓ ସାଉଥ ଆଫ୍ରିକା । ଗତକାଲି ଦିଲ୍ଲୀରେ ପ୍ରଥମ ଟି-ଟ୍ବେଣ୍ଟି ଜିତିବା ପରେ ସାଉଥ ଆଫ୍ରିକା ଟିମ୍ ଫୁଲ୍ କନଫିଡେଣ୍ଟ ଅଛି । ତଥାପି ଘରୋଇ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାର କଡ଼ା ମୁକାବିଲା ପାଇଁ ଋଷଭ ପନ୍ତ ଆଣ୍ଡ କୋ ପୂରା ତୟାର । ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚି ହୋଟେଲ ମେ’ ଫେୟାରରେ ରେଷ୍ଟ ନେବା ପରେ ଶନିବାର ନେଟ୍ ପ୍ରାକ୍ଟିସ୍ ପାଇଁ ବାରବାଟୀରେ ପହଞ୍ଚିବେ ଉଭୟ ଟିମର ଖେଳାଳି । ନେଟ୍ ପ୍ରାକ୍ଟିସ ପାଇଁ ୪ଟି ପିଚ୍ ପ୍ରସ୍ତୁତ ହୋଇ ରହିଛି । ବାରବାଟୀରେ ୨୭ତମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବା ପୂର୍ବାରୁ ଅତୀତର ଅଭିଜ୍ଞତାକୁ ମନେ ପକାଇଛନ୍ତି ଚାରି ଦଶନ୍ଧୀ ଧରି ବାରବାଟୀର ପିଚ୍ ଓ ଆଉଟ୍ଫିଲ୍ଡ ପ୍ରସ୍ତୁତିରେ ମାହିର ଧୃତିକେଶନ ରାଉତ ।

ଶନିବାର ପାଗ ମେଘୁଆ ରହିଛି । ଯେହେତୁ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା ରହୁଛି ସେଥିପାଇଁ ବର୍ଷାକୁ ଦୃଷ୍ଟିରେ ରଖି ବାରବାଟୀ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।ଲଣ୍ଡନରୁ ଅଣାଯାଇଥିବା ଗ୍ରାଉଣ୍ଡ କଭରକୁ ଆଜି ପୁଣି ଥରେ ପଡ଼ିଆ ଭିତରେ ଢ଼ାଙ୍କିବାର ଅଭ୍ୟାସ କରିଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ । ତେବେ ମ୍ୟାଚର ୨୪ଘଣ୍ଟା ପୂର୍ବରୁ କିପରି ସ୍ପାଇଡର କ୍ୟାମେରା ଇନଷ୍ଟଲ ହୋଇପାରିବ ସେଥିପାଇଁ ସ୍ବତନ୍ତ୍ର ଟିମ୍ ଆଜିଠାରୁ ତା’ର କାମ ଆରମ୍ଭ କରିଦେଇଛି । ଯଦିଓ ବାରବାଟୀ ମୁକାବିଲା ଲାଗି ଦର୍ଶକ ଗ୍ୟାଲେରୀଗୁଡ଼ିକ ପ୍ରସ୍ତୁତ ହୋଇସାରିଛି ତଥାପି ଭି.ଆଇପିଙ୍କ ବସିବା ଲାଗି ପଡ଼ିଆ ଭିତରେ ସ୍ବତନ୍ତ୍ର ଆୟୋଜନ କରାଯାଉଛି ।

ସେପଟେ ଭୁବନେଶ୍ବର ହୋଟେଲ ମେ’ଫେୟାରରୁ କଟକ ବାରବାଟୀକୁ ନେବା ଆଣିବା ସମୟରେ ସୁରକ୍ଷାକୁ ଗୁରୁତ୍ବ ଦେଇଛି କମିଶନରେଟ୍ ପୋଲିସ । ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ କାରକେଡ୍ ରିହାର୍ସାଲ କରାଯାଇଛି । ଖେଳାଳିଙ୍କ ସୁରକ୍ଷାରେ ଯେଭଳି କୌଣସି ବି ତ୍ରୁଟି ନହୁଏ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସେହିଭଳି ବାରବାଟୀ ମ୍ୟାଚ୍କୁ ନେଇ ପୋଲିସ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ନିୟୋଜିତ ପୋଲିସ କର୍ମଚାରୀମାନେ ନିଜ ଦାୟିତ୍ବରେ ଅବହେଳା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.