ଝାରସୁଗୁଡ଼ା/ପାରାଦୀପ/କଟକ/କେନ୍ଦ୍ରାପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବୈଧ ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଝାରସୁଗୁଡ଼ା ଜିଲ୍ଲାରେ ଗତ ରାତିରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୪୪୪ଜଣଙ୍କୁ ଯାଞ୍ଚ ପାଇଁ ଅଣାଯାଇଛି । ଦୁଇଟି ହୋଲଡିଂ ସେଣ୍ଟରରେ ଏମାନଙ୍କୁ ରଖାଯିବା ସହ ସେମାନଙ୍କ ପରିଚୟ ଯାଞ୍ଚ କରାଯାଉଛି । ସେହିଭଳି ପାରାଦୀପରେ ମଧ୍ୟ ବାଂଲାଦେଶରୁ ଆସିଥିବା ଗୋଟିଏ ପରିବାରର ୪ଜଣଙ୍କ ବିଷୟରେ ଯାଞ୍ଚ କରୁଛି ଲକ୍ ଥାନା ପୋଲିସ । ଯାଞ୍ଚ ପରେ ଜଣାପଡ଼ିବ ଏମାନେ ପ୍ରକୃତରେ କେଉଁଠୁ ଆସିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଓଡ଼ିଶାକୁ ବାଂଲାଦେଶୀ ଓ ରୋହଙ୍ଗ୍ୟା ଆସୁଛନ୍ତି କେମିତି ? ଉତ୍ତର ଜାଣିବାକୁ ଆସନ୍ତୁ ଦେଖିବା ଏହି ରିପୋର୍ଟ ।
ଓଡ଼ିଶାରେ ଆରମ୍ଭ ହୋଇଛି ବାଂଲାଦେଶୀ-ରୋହିଙ୍ଗ୍ୟା ଚିହ୍ନଟ ପ୍ରକ୍ରିୟା । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି ସ୍ପେଶାଲ ସ୍କ୍ବାର୍ଡ଼ । ଝାରସୁଗୁଡ଼ା, ପାରାଦୀପ, କଟକ ସବୁଠି ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା । ଝାରସୁଗୁଡ଼ାରେ ଗତ ରାତିରେ ୪୪୪ ଜଣଙ୍କୁ ଉଠାଇଛି ପୋଲିସ । ଝାରସୁଗୁଡ଼ା ବ୍ଲାକ ଡାଇମଣ୍ଡ ଇଂଜିନିୟରିଂ କଲେଜ ଓ ବ୍ରଜରାଜନଗର ହିଲଟପ୍ କଲ୍ୟାଣ ମଣ୍ଡପରେ ସେମାନଙ୍କୁ ରଖାଯାଇ ତଦନ୍ତ କରାଯାଉଛି । ଏମାନଙ୍କ ମୂଳ ପରିଚୟ କ’ଣ ? ସେମାନେ କେଉଁଠୁ ଓ କିଭଳି ଝାରସୁଗୁଡ଼ା ଆସିଛନ୍ତି ? ସେନେଇ ଯାଞ୍ଚ ଚଳାଇଛି ସ୍ପେଶାଲ ସ୍କ୍ବାର୍ଡ଼ ଝାରସୁଗୁଡ଼ା ଜିଲ୍ଲାରେ ବହୁ ସଂଖ୍ୟକ ବାଂଲାଦେଶୀ ରହୁଥିବା ସୂଚନା ମିଳିବା ପରେ କେନ୍ଦ୍ର ଗୃହ ବିଭାଗ ନିର୍ଦ୍ଦେଶରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ କରି ବାଂଲାଦେଶୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ସେହିଭଳି ପାରାଦୀପରେ ବାଂଲାଦେଶୀ ସଂଦେହରେ ଗୋଟିଏ ପରିବାରର ୪ଜଣଙ୍କ ସମ୍ପର୍କରେ ଯାଞ୍ଚ ଚଳାଇଛି ଲକ୍ ଥାନା ପୋଲିସ । କଟକରେ ମଧ୍ୟ ସଂଦିଗ୍ଧ ବାଂଲାଦେଶୀଙ୍କୁ ନେଇ ଚାଲିଛି ଯାଞ୍ଚ ।
ଆଗକୁ ସାରା ରାଜ୍ୟରେ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରାଯିବ । ହେଲେ ଏଠି ପ୍ରଶ୍ନ ଉଠୁଛି ଏହି ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ ଓଡ଼ିଶାକୁ ପ୍ରବେଶ କରୁଛନ୍ତି କେମିତି ? ନ୍ୟୁଜ୍ 7ର ଅନୁସନ୍ଧାନରୁ ଯାହା ଜଣାପଡ଼ିଛି ଓଡ଼ିଶାରେ ଅନୁପ୍ରବେଶ ପାଇଁ ବାଂଲାଦେଶୀଙ୍କ ଲାଗି ବରଦାନ୍ ସାଜିଛନ୍ତି ମାଛଧରା ବୋଟ୍ । କେନ୍ଦ୍ରାପଡ଼ା ସଂଲଗ୍ନ ସାମୁଦ୍ରିକ ଜଳପଥରେ ମାଛ ଧରା ବୋଟ୍ ଗୁଡ଼ିକର ଅବାଧ ଯାତାୟତ ଓ କୋହଳ ସୁରକ୍ଷା ବ୍ୟବସ୍ଥା ଏମାନଙ୍କ ପାଇଁ ସୃଷ୍ଟି କରିଛି ସୁଯୋଗ । ସମୁଦ୍ର ମଝିରେ ମାଛଧରା ବୋଟ୍ ଗୁଡ଼ିକରେ ଅନୁପ୍ରବେଶକାରୀଙ୍କ ହସ୍ତାନ୍ତର ପ୍ରକ୍ରିୟା କରାଯାଉଛି । ଭାରତର ସୀମା ମଧ୍ୟକୁ ପ୍ରବେଶ କରିବା ପରେ ଅନୁପ୍ରବେଶକାରୀଙ୍କୁ ନକଲି ଆଧାର କାର୍ଡ଼ ଏବଂ ନକଲି ପରିଚୟ ପତ୍ର ଯୋଗାଇ ଦିଆଯାଉଛି । ମିଳିଥିବା ସୂଚନା ଅନୁସାରେ , ମହାକାଳପଡ଼ାରେ ୧୬୫୬ଟି ମାଛଧରା ବୋଟ୍ ପ୍ରଶାସନ ପାଖରେ ପଞ୍ଜୀକରଣ କରିଛନ୍ତି । ଏହି ବୋଟ୍ ଗୁଡ଼ିକ ମହାକାଳପଡ଼ାର ଖରିନାସୀ ଓ ଜମ୍ବୁ ଜେଟିରୁ ମାଛ ମାରିବା ପାଇଁ ସମୁଦ୍ର ଭିତରକୁ ଯାତ୍ରା କରନ୍ତି ।
ଏହାଛଡ଼ା ଅନେକ ଅଣପଞ୍ଜୀକୃତ ବୋଟ୍ ମଧ୍ୟ ବେଆଇନ୍ ଭାବେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଛନ୍ତି । ଯାହାର ହିସାବ ପ୍ରଶାସନ ପାଖରେ ନାହିଁ ।ଏହି ସବୁ ବୋଟ୍ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ ସୀମା ଭିତରେ ପ୍ରବେଶ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି । ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଉଥିବା ବୋଟ୍ ଗୁଡ଼ିକରେ କେତେ ଜଣ ଯାଉଛନ୍ତି ଆଉ ଫେରିବା ବେଳକୁ କେତେ ଜଣ ଫେରୁଛନ୍ତି ତା’ର ଯାଞ୍ଚ ହେଉନି । କେନ୍ଦ୍ରାପଡ଼ାରେ ମୋଟ ୩ଟି ମେରାଇନ୍ ଥାନା ରହିଛି । ଜମ୍ବୁ, ତନ୍ତିଆପାଳ ଓ ତାଳଚୁଆରେ ରହିଛି ମେରାଇନ୍ ଥାନା । କେନ୍ଦ୍ରାପଡ଼ାର ପ୍ରାୟ ୪୮କିଲୋମିଟର ସାମୁଦ୍ରିକ ସୀମା ରହିଛି । କିନ୍ତୁ ଏହାକୁ ଜଗିବା ପାଇଁ ନା’ ଅଛି ଆବଶ୍ୟକୀୟ ଭିତ୍ତିଭୂମି ନା’ ଅଛନ୍ତି ଆବଶ୍ୟକୀୟ କର୍ମଚାରୀ । ଆଉ ଏହାର ସୁଯୋଗରେ ବେଧଡ଼କ ଅନୁପ୍ରବେଶ କରୁଛନ୍ତି ବାଂଲାଦେଶୀ ।
୨୦୦୪ରେ ଶେଷ ଥର ପାଇଁ କେନ୍ଦ୍ରାପଡ଼ାରେ ୧୬୪୯ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମହାକାଳପଡ଼ାରେ ୧୫୫୧ ଜଣ ରହିଥିବା ବେଳେ ରାଜନଗରରେ ୩୦ଜଣ ଓ ଅବଶିଷ୍ଟ ପଟ୍ଟାମୁଣ୍ଡାଇ ବ୍ଲକରେ ରହିଥିଲେ । ହେଲେ ଏହା ପରେ ଆହୁରି କେତେ ବାଂଲାଦେଶୀ ଓଡ଼ିଶା ସୀମାରେ ପ୍ରବେଶ କରିଛନ୍ତି ତା’ର ହିସାବ କାହା ପାଖରେ ନାହିଁ ।