ପୁରୀ ୧୪।୧୦ : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ଆଶ୍ୱିନ ଶୁକ୍ଲ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି କରାଯିବା ବା ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଯେଉଁଥି ଲାଗି ଆପାତତଃ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୪ ଘଣ୍ଟା ଧରି ଚାଲିବା ମହାପ୍ରଭୁଙ୍କ ବନକଲାଗି ନୀତି । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ, ଓ କଳା ଇତ୍ୟାଦି ବ୍ୟବହାର କରାଯିବ। ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକମାନେ ଏହି ନୀତି ସମ୍ପାଦନ କରିବେ।