କାଦୁଅରେ ପଶି ହାତୀ ଛୁଆର ମୃତ୍ୟୁ; ମୃତଦେହକୁ ବହୁ ସମୟ ଜଗି ରହିଲା ମାଆ…
25/01/2023 at 6:25 PM

ଢେଙ୍କାନାଳ ୨୫/୦୧: ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ମହୁଲପଡ଼ା ପାଖରେ ଏକ ହାତୀ ଛୁଆର ମୃତ୍ୟୁକୁ ନେଇ ବନ ବିଭାଗକୁ ନାକେଦମ ହେବାକୁ ପଡିଛି। ଏହି ମୃତ ହାତୀ ଛୁଆକୁ ତାର ମା ଦୀର୍ଘ ବହୁ ସମୟ ଧରି ଜଗି ରହିଥିଲା। ଫଳରେ ଉଦ୍ଧାର ତ ଦୁରେ ଥାଉ ମୃତ ହାତୀ ଛୁଆ ପାଖକୁ ବନ କର୍ମଚାରୀମାନେ ପହଞ୍ଚି ପାରି ନଥିଲେ। ଘଟଣାସ୍ଥଳରେ ବନ କର୍ମଚାରୀ ମଧ୍ୟ ଜଗି ରହିଥିଲେ। ଗତ ରାତିରୁ ଏହି ହାତୀ ଛୁଆର ମୃତ୍ୟୁ ଖବର ପାଇଥିଲା ବନ ବିଭାଗ।
ଖବର ଅନୁସାରେ, ସଦର ବନାଞ୍ଚଳର ମହୁଲପଡା ପାଖରେ ଥିବା ପାଟରଗଡ଼ି ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ହାତୀ ଛୁଆଟି ପୋଖରୀ କାଦୁଅରେ ଫସି ରହିଥିବା ଦେଖିବାକୁ ମିଳିଛି। ତେବେ ଗୁରୁବାର ଅପରାହ୍ଣରେ ବନ କର୍ମଚାରୀମାନେ ମା ହାଟିକୁ ଘଉଡାଇବା ପରେ ମୃତ ହାତୀ ଛୁଆକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ପରେ ହାତୀ ଛୁଆର ମୃତଦେହ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ମୃତ ଛୁଆର ବୟସ ମାତ୍ର ୬ମାସ ହେବ ବୋଲି ଆନୁମାନ କରାଯାଇଛି। ବନ ବିଭାଗ ପକ୍ଷରୁ ହାତୀ ଛୁଆଟିର ବ୍ୟବଛେଦ କରାଯାଉଛି।
ବ୍ୟବଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ବଭାଗୀୟ ଅଧିକାରୀ ଜଣାଇଛନ୍ତି। ମାତ୍ର ପାରିପାର୍ଶ୍ୱିକ ପରିସ୍ଥିତିରୁ ହାତୀପଲଙ୍କ ସହ ଏହି ଛୁଆ ହାତୀ ପୋଖରୀକୁ ପାଣି ପିଇବାକୁ ଆସି କାଦୁଅରେ ଫସି ଯାଇଥିବା ଅନୁମାନ କରାଯାଇଛି। ତେବେ ହାତୀ ପଲ ଛୁଆକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ଦଳାଚକଟା ହେବାରୁ ଛୁଆର ମୃତ୍ୟୁ ହୋଇଥିବା ବନବିଭାଗ ସନ୍ଦେହ କରିଛି। ଏନେଇ ସଦର ବନାଞ୍ଚଳ ପକ୍ଷରୁ ତଦନ୍ତ ଜାରି ରହିଛି ।