ଘାରିଲା ଏନ୍‌କାଉଣ୍ଟର ଭୟ; ଜେଲ୍‌ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମଦର ଆବେଦନ

Published By : Prameya-News7 Bureau | March 01, 2023 IST

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟରରୁ ନେତା ପାଲଟିଥିବା ଅତିକ ଅହମଦ୍‌କୁ ଘାରିଲା ଏନ୍‌କାଉଣ୍ଟର ଭୟ। ଜେଲ୍‌ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲା ଗ୍ୟାଙ୍ଗଷ୍ଟର। ୨୦୦୫ ବିଏସ୍‌ପି ବିଧାୟକ ରାଜୁ ପାଲ୍‌ଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ହୋଇ ଅତିକ ବର୍ତ୍ତମାନ ଗୁଜରାଟର ସାବରମତି ଜେଲ୍‌ରେ ଅଛି। ସେଠାରୁ ତାକୁ ଉତ୍ତରପ୍ରଦେଶ ଜେଲ୍‌କୁ ଆଣିବାକୁ ସେ ବୁଧବାର ସୁପ୍ରିମକୋର୍ଟରେ ଆବେଦନ କରିଛି।

ପେବ୍ରୁଆରୀ ୨୪ ତାରିଖରେ ପ୍ରୟାଗରାଜରେ ଘଟିଥିବା ଉମେଶ ପାଲ୍‌ଙ୍କ ହତ୍ୟାକାଣ୍ଡ ଘଟଣାରେ ବି ଅତିକର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଉମେଶ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ। ତେଣୁ ତାଙ୍କୁ ହତ୍ୟା କରିବା ପଛରେ ଅତିକ୍‌ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରାଯାଇଛି। ଅତିକର କହିବା ପରେ ହିଁ ୟୁପି ବରେଲି ଜେଲ୍‌ରେ ଥିବା ତା ଭାଇ ଅଶ୍ରଫ ଉମେଶଙ୍କ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲା ବୋଲି ଅଭିଯୋଗ ହୋଇଛି।

ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ଅତିକ ଦର୍ଶାଇଛି ଯେ ତାକୁ ଏନ୍‌କାଉଣ୍ଟର ଭୟ ହେଉଛି। ଉମେଶ ପାଲ୍ ହତ୍ୟାକାଣ୍ଡରେ ପଚରାଉଚରା ପାଇଁ ୟୁପି ପୁଲିସ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ଓ ରାସ୍ତାରେ ଏନ୍‌କାଉଣ୍ଟର କରି ମାରିଦେବ ବୋଲି ଅତିକ ଭୟ କରୁଥିବା ଆବେଦନରେ ଦର୍ଶାଇଛି। ଅତିକ ଆହୁରି କହିଛି ଯେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଅନେକ ୟୁପି ମନ୍ତ୍ରୀ ରାଜ୍ୟରେ ମାଫିଆ ରାଜ ସମପ୍ତା କରିବାକୁ ପ୍ରତିକ୍ରିୟା ଦେଇଛନ୍ତି। ତେଣୁ ତାକୁ ଏନ୍‌କାଉଣ୍ଟର କରାଯାଇପାରେ ବୋଲି ଭୟ ଲାଗୁଛି ବୋଲି ଅତିକ୍ ସୁପ୍ରିମକୋର୍ଟରେ ଆବେଦନ କରିଛି।

କେବଳ ଅତିକ ନୁହେଁ ଫେବ୍ରୁଆରୀ ୨୭ ତାରିଖରେ ୟୁପି ବରେଲି ଜେଲ୍‌ରେ ବନ୍ଦ ଥିବା ତା ଭାଇ ଅଶ୍ରଫ ମଧ୍ୟ ହତ୍ୟା ଭୟ କହି କୋର୍ଟରେ ଆବେଦନ କରିଥିଲା। କୋର୍ଟରେ ଶୁଣାଣି ପାଇଁ ହେଉ କିମ୍ବା ଜେଲ୍‌ ସ୍ଥାନାନ୍ତର ପାଇଁ ତାକୁ ଜେଲ୍‌ରୁ କାଢ଼ି ହତ୍ୟା କରାଯିବ ବୋଲି ଅଶ୍ରଫ ଆଶଙ୍କା କରୁଛି। ତେଣୁ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଅଶ୍ରଫ ବନ୍ଦୀ ଥିବା ଜେଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଦାବି ମଧ୍ୟ କୋର୍ଟରେ ଆବେଦନ କରିଛି।  

ସୂଚନା ଥାଉକି ଉମେଶ ପାଲ ହତ୍ୟାକାଣ୍ଡ ପରେ ୟୁପି ବିଧାନସଭାରେ ଯୋଗୀ ଆଦିତ୍ୟ ନାଥ ଓ ସପା ନେତା ଅଖିଳେଶ ଯାଦବଙ୍କ ମଧ୍ୟରେ ତର୍କ ହୋଇଥିଲା। ଏହି ସମୟରେ ଯୋଗୀ ଆଦିତ୍ୟ ନାଥ ସପା ଉପରେ ମାଫିଆ ପୋଷିବା ଅଭିଯୋଗ ଲଗାଇଥିଲେ। ସମସ୍ତ ମାଫିଆକୁ ମାଟିରେ ମିଶାଇ ଦେବେ ବୋଲି ଚେତାବନୀ ବି ଦେଇଥିଲେ।

ସୂଚନା ଥାଉକି ଉମେଶ ପାଲ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ଅରବାଜକୁ ଏନ୍‌କାଉଣ୍ଟର କରିଥିଲା ୟୁପି ପୁଲିସ। ଅରବାଜ୍ ଗୁଳିକାଣ୍ଡ ଘଟାଇବା ପରେ ଅପରାଧି କାର୍ ଚଳାଇ ନେଇଯାଇଥିଲା। ସେହିପରି ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରାଯାଇଛି। ଅରବାଜର ଏନ୍‌କାଉଣ୍ଟର ହେବା ପରେ ବିଜେପି ମନ୍ତ୍ରୀ ଜେପିଏସ୍‌ ରାଠୋର କହିଥିଲେ ସରକାର ଅପରାଧିଙ୍କୁ ମାରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଯଦି କେହି ଅପରାଧି ଧରାପଡ଼ିଲେ ଏତେ ହୋହଲ୍ଲା କରିବା ଉଚିତ୍ ନୁହେଁ। କାରଣ ସେମାନେ ବି ବିକାଶ ଦୁବେଙ୍କ ଭଳି ଅବସ୍ଥା ଭୋଗିପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ବିଜେପି ମନ୍ତ୍ରୀ।

କହି ରୁଖୁଛୁ ବୁଧବାର ପ୍ରୟାଗରାଜ ବିକାଶ ପ୍ରାଧିକରଣ ଅତିକ ଅହମଦର ସହଯୋଗୀ ଅପରାଧୀ ଖିଲାଦ ଜାଫରର ଘର ଉପରେ ବୁଲ୍‌ଡୋଜର ଚଢାଇ ଭାଙ୍ଗି ଦେଇଛି। ୨.୫ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଘର ବେଆଇନ ଭାବେ ତିଆରି କରାଯାଇଥିଲା। ଏ ନେଇ ପିଡିଏ ପୂର୍ବରୁ ନୋଟିସ୍ ମଧ୍ୟ କରିଥିଲା। ଆଜି ଘରକୁ ବୁଲ୍‌ଡୋର ଲଗାଇ ଭାଙ୍ଗିଛି ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.