ବିଜେଡିରେ ମିଶିଲେ ବିଜେପି ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ, ଦେବଗଡ଼ରୁ ମିଳିପାରେ ଟିକେଟ୍

Published By : Prameya-News7 Bureau | April 16, 2024 IST

ଭୁବନେଶ୍ଵର: ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି | ତାଙ୍କ ସହ ତାଙ୍କ ପୁତ୍ର ନମନ ଗଙ୍ଗଦେବ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି | ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି | ଏହି ସମୟରେ ସାଂସଦ  ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ | ଦେବଗଡ଼ ଆସନରେ ବିଜେଡି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଫଳରେ ଅରୁନ୍ଧତୀଙ୍କୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ଅଧିକ ରହିଛି। 

ଉଲ୍ଲେଖନୀୟ ସ୍ଵାମୀ ନୀତେଶ ଗଙ୍ଗଦେବ ବିଜେପିର ନେତା ହୋଇଥିବା ବେଳେ ଏବଂ ସମ୍ବଲପୁରର ସାଂସଦ ଥିବା  ସତ୍ତ୍ଵେ ପତ୍ନୀ ବିଜେଡିରେ ଯୋଗ ଦେବା ରାଜ୍ୟ ରାଜନୀତି ସହ ଦେବଗଡ଼ ଜିଲ୍ଲା ରାଜନୀତିକୁ ସରଗରମ କରିଛି।  ଅରୁନ୍ଧତୀଙ୍କ ବିଜେଡିରେ ଯୋଗ ଦେବା ନେଇ ଦୀର୍ଘ ସମୟ ଧରି ଦେବଗଡ଼ରେ ଚର୍ଚ୍ଚା ଜୋର ଧରିଥିଲା। ଏହାର କାରଣ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଏବଂ ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ମଧ୍ୟରେ ସଂପର୍କ ଭଲ ନ ଥିଲା। ଏପରିକି ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ସୁବାସଙ୍କ ସହ ବିବାଦ ଲାଗି ରହିଥିଲା। ଦେବଗଡ଼ ବିଧାୟକଙ୍କ ପ୍ରତିଟି କାମକୁ ସେ ବିରୋଧ କରିବା ସହ  ଟାର୍ଗେଟ୍ କରିବାରେ ସେ କୌଣସି ସୁଯୋଗ ହାତଛଡ଼ା କରୁ ନ ଥିଲେ। ଏହା ବାଦ ଅରୁନ୍ଧତୀଙ୍କୁ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ବିଜେଡିରେ ମିଶିବାର ଆଉ ଏକ କାରଣ ହେଉଛି ସ୍ଵାମୀ ନୀତେଶ ଗଙ୍ଗଦେବଙ୍କୁ ବିଜେପି କଣଠେସା କରିବା।

୨୦୨୪ ନିର୍ବାଚନରେ ବିଜେପି ନୀତେଶ ଗଙ୍ଗଦେବଙ୍କୁ ସମ୍ବଲପୁର ଲୋକସଭାରୁ ଟିକେଟ୍ କାଟିବା ସହ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରାର୍ଥୀ କରିନି।  ନୀତେଶଙ୍କୁ ଦଳର କୌଣସି ସାଂଗଠନିକ କାର୍ଯ୍ୟକ୍ରମ କିମ୍ବା ଦଳୀୟ କାର୍ଯ୍ୟାଳୟରେ ବି ଦେଖିବାକୁ ମିଳୁ ନ ଥିଲା। ଅରୁନ୍ଧତୀ ଦେବୀଙ୍କ ବିଜେପି ବିରୋଧୀ ମନୋଭାବ କାରଣରୁ ନୀତେଶଙ୍କୁ ଦଳ ଅଣଦେଖା କରୁଥିବା ନେଇ ଚର୍ଚ୍ଚା ହୋଇ ଆସିଛି। ଆଉ ଏବେ ଅରୁନ୍ଧତୀ ବିଜେଡିରେ ମିଶିବା ପରେ ତାଙ୍କୁ ଦେବଗଡ଼ରୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ଏମିତି ହେଲେ ଦେବଗଡ଼ ସିଟରେ ସୁବାସ ବନାମ ଅରୁନ୍ଧତୀଙ୍କ ମଧ୍ୟରେ ବଡ଼ ମୁକାବିଲା ଦେଖିବାକୁ ମିଳିପାରେ।  

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ଦେଗଗଡ଼ରେ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେପି ସୁବାସ ପାଣିଗ୍ରାହୀଙ୍କୁ ରିପିଟ୍ କରିଥିବା ବେଳେ ୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ସେମ  ହେମ୍ବ୍ରମଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି। ବିଜେଡି ଏ ପର୍ଯ୍ୟନ୍ତ ଦେବଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏବେ ଅରୁନ୍ଧତୀଙ୍କ ବିଜେଡିରେ ମିଶିବା ତାଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି। 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.