୨୩ରେ ପୁଣି ଏକ ଲଘୁଚାପ !

Published By : Prameya-News7 Bureau | October 18, 2018 IST

ଭୁବନେଶ୍ୱର ୧୮/୧୦: ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହା ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତିକରି ଘନୀଭୂତ ହେବବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଏହି ଲଘୁଚାପର ପ୍ରଭାବ କ’ଣ ରହିବ ତାହା ୨୦ ତାରିଖ ବେଳକୁ ଜଣାପଡ଼ିବ । ଅପରପକ୍ଷରେ ତାପମାତ୍ରାରେ ହ୍ରାସ ବୃଦ୍ଧି ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଉପକୂଳ ଉତ୍ତର  ଆଭ୍ୟତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ ୨୧ ତାରିଖ ପର୍ଯ୍ୟନ୍ତ ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟର ସବୁ ଅଞ୍ଚଳର ପାଗ ଶୁଖିଲା ରହିଥିବା ବେଳେ ଦିନର ତାପମାତ୍ରା ବୃଦ୍ଧି ଘଟୁଛି । ତେବେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ରାତିର ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ୱାସ କହିଛନ୍ତି । ଆସନ୍ତା ୨୦ ତାରିଖ ବେଳକୁ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସରି ଯିବ । ତା’ପରେ ପ୍ରବେଶ କରିବ ଉତ୍ତର ପୂର୍ବ ମୌସୁମୀ । ତିତ୍‌ଲି ପରେ ସାରା ରାଜ୍ୟରେ ଶୁଖିଲା ପାଗ ଦେଖାଦେଇଛି । ଏଭଳି ପାଗ ଆହୁରି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ଆସାମ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ଅନୂଭୁତି ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ କୁମାର ସାହୁ କହିଛନ୍ତି । ବରଂ ଆରବ ମହାସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ଓଡ଼ିଶା ଆକାଶରେ ବାଦଲ ସୃଷ୍ଟି ହେବ, ଯାହା ପ୍ରଭାବରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ କୁହୁଡ଼ି ଦେଖାଦେଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.