ଚୀନ୍‌କୁ ଗ୍ରାସିଛି ରହସ୍ୟମୟ ନିମୋନିଆ, ବିପଦରେ ଛୋଟ ଛୁଆ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦ୍‌ବେଗ

Published By : Prameya-News7 Bureau | November 26, 2023 IST

ନୂଆଦିଲ୍ଲୀ: ଚୀନରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିମୋନିଆ ଭାଇରସ୍‌ ଏଚ୍‌୯ଏନ୍‌୨। ବଢ଼ିବାରେ ଲାଗିଛି ମାଇକୋପ୍ଲାଜମା ନିମୋନିଆ ଏବଂ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ।  ଶିଶୁଙ୍କୁ ଏହି ଭୂତାଣୁ ବ୍ୟାପୁଥିବାରୁ ପୂରା ଦେଶ ଛାନିଆ। ଥଣ୍ଡା, ଜ୍ୱର ତଥା ନିମୋନିଆ ଦେଇ ଗତିକରୁଛନ୍ତି ଅଧିକାଂଶ ଶିଶୁ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ପ୍ରବଳ ଭିଡ଼। ଏହି ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ପଡୋଶୀ ଦେଶରେ ଏପରି ଟେନସନ୍‌ ବଢିବା ପରେ ସତର୍କ ହୋଇଛି ଭାରତ।

ଚୀନରେ ବ୍ୟାପୁଥିବା ନିମୋନିଆ ଭାରତ ପାଇଁ ଆଣିପାରେ ବିପଦ। ଆଉ ଏହାକୁ ନଜରରେ ରଖି ଦେଶରେ ଆଲର୍ଟ ଜାରି କରିଛନ୍ତି ସରକାର। ସମସ୍ତ ରାଜ୍ୟର ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ଏହି ଭାଇରସ୍‌କୁ ନେଇ ଗାଇଡଲାଇନ୍ସ ଜାରି କରିଛି WHO। ଲୋକଙ୍କୁ ନିଜ ଘର ତଥା ଏହାର ଆଖପାଖ ଅଞ୍ଚଳରେ ପରିଷ୍କାର ରଖିବାକୁ କୁହାଯାଇଛି। ଯଦି ଶରୀରରେ କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଏହା ବ୍ୟତୀତ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି।

ସେପଟେ ଘଟଣାକୁ ଗୁରୁତର ସହ ନେବା ସହ ସତର୍କ ହୋଇଛନ୍ତି ଭାରତ ସରକାର। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଡାକ୍ତରଖାନାର ପ୍ରସ୍ତୁତିର ସମୀକ୍ଷା କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଚୀନରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ରୋଗର ବୃଦ୍ଧି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନଜର ରଖିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ ଡାକ୍ତରଖାନାଗୁଡ଼ିକରେ ଥିବା ସ୍ୱାସ୍ଥ୍ୟ ସେବାକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଡାକ୍ତରଖାନାରେ ବେଡର ଉପଲବବ୍ଧତା, ଇନଫ୍ଲୁଏଞ୍ଜା ପାଇଁ ଔଷଧ ଓ ଟିକା, ଅକ୍ସିଜେନ୍, ଆଣ୍ଟିବାୟୋଟିକ୍ସ, ପିପିଆଇ ଆଦି ଯାଞ୍ଚ କରିବାକୁ କୁହାଯାଇଛି। ଏଥିସହିତ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛି ମନ୍ତ୍ରଣାଳୟ।

ହେଲେ ଏହା ପୂର୍ବରୁ ଏହି ନିମୋନିଆକୁ ନେଇ ଭାରତରେ ବିପଦ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ସରକାର ସବୁ ପ୍ରକାରର ଜରୁରୀକାଳୀନ ପରିସ୍ଥିତି ସହ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଥିଲେ । ତେବେ କୌଣସି ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଗଲେ ସ୍ୱାବ ଟେଷ୍ଟ ସହ ସମସ୍ତ ପ୍ରକାର ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। 2020ରେ ଚୀନର ଉହାନରୁ ଉତ୍ପନ କରୋନା ଭାଇରସ୍‌ ସାରା ବିଶ୍ୱକୁ ଗ୍ରାସିଥିଲା। ବର୍ତ୍ତମାନ ପୁଣି ଚୀନ୍‌ରୁ ଆଉ ଏକ ଭୟାନକ ଭାଇରସ୍‌କୁ ନେଇ ଟେନସନ୍‌ରେ ସାରା ବିଶ୍ୱ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.