ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା, ୨୦ ଦିନ ହେଲା ହୋଇପାରୁନି ସମାଧାନ
11/11/2023 at 11:01 AM

କୁଚିଣ୍ଡା ୧୧।୧୧ : ୨୦ ରୁ ଅଧିକ ଦିନ ହେବ ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା । ବନ୍ଦ ହୋଇଛି କୁନିପିଲାଙ୍କ ପାଠପଢା । କେନ୍ଦ୍ରରେ ପାଚିକା ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଗ୍ରାମବାସୀମାନେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ବଲାରମା ଗାଁରେ ଘଟଣା ।
ଖବର ଅନୁଯାୟୀ, ଗାଁରେ ରହିଥିବା ଅଙ୍ଗନବାଡି କେନ୍ଦ୍ରର ପାଚିକା ଅବସର ନେବା ପରେ ଉକ୍ତ ପଦବୀ ଖାଲି ରହିଥିଲା । ଜମନକିରା ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଉକ୍ତ ପାଚିକା ପଦ ଚୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ସେହି କେନ୍ଦ୍ରର ଅଙ୍ଗନବାଡି କର୍ମୀ ଚଞ୍ଚକତା କରି ଅଧିକାରୀଙ୍କ ହାତରେ ତାଙ୍କ ସମ୍ପର୍କୀୟ ଭାଉଜଙ୍କୁ ପାଚିକା ଭାବେ ନିଯୁକ୍ତି ପ୍ରଦାନ କରେଇଥିବା ଅଭିଯୋଗ କରି ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକେଇଦେଇଥିଲେ । ଏଥିସହ ଏହି ନିଯୁକ୍ତିକୁ ଗ୍ରାମବାସୀ ବିରୋଧ କରି ବ୍ଲକ ଉପଖଣ୍ଡ ତଥା ଜିଲ୍ଲା ଅଧିକାରୀଙ୍କୁ ପର୍ଯ୍ୟୟକ୍ରମେ ଲିଖିତ ଅଭିଯୋଗ କରିଥିଲେ । ନ୍ନିଯୁକ୍ତି ପାଇଥିବା ପାଚିକାଙ୍କୁ ତୁରନ୍ତ ବରଖାସ୍ତ କରି ପୁନଃ ଅନଲାଇନ ଆବେଦନ ଗ୍ରହଣ କରି ଗ୍ରାମର ବେକାର ଶିକ୍ଷିତ ଯୁବତୀ ଓ ବୋହୁଙ୍କୁ ସୁଯୋଗ ଦେବାପାଇଁ ଦାବୀ କରିଥିଲେ । ଇତିମଧ୍ୟରେ ବହୁ ଦିନ ପରେ ବି ଜମନକିରା ବ୍ଲକ ସିଡିପିଓ ପ୍ରାଣେଶ୍ବରୀ ପାଣିଗ୍ରାହୀ ଘଟଣାସ୍ଥଳକୁ ଯାଇ ପୁଲିସର ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଗ୍ରାମବାସୀ ନିଜ ଦାବିରେ ଅଟଳ ରହିଥିବା ବେଳେ ଆଲୋଚନା ବିଫଳ ହୋଇଥିଲା । ଯାହାଫଳରେ ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା ।
ଅନ୍ୟପଟେ ପାଚିକା ଚୟନ ପ୍ରକିୟାରେ ଅନିୟମିତତାକୁ ଖଣ୍ଡନ କରିଛି ଜମନକିରା ବ୍ଲକ ସିଡିପିଓ ପ୍ରାଣେଶ୍ବରୀ ପାଣିଗ୍ରାହୀ । ପାଚିକା ଚୟନ ସଠିକ ଭାବରେ ହୋଇଥିବା କଥା କହିବା ସହ ଏଥିପାଇ ଏକ ଚୟନ କମିଟି ରହିଥିବା କହିଛି । ଚୟନ କମିଟି ଦ୍ବାରା ଗାଇଡଲାଇନ ଅନୁସାରେ ଚୟନ କରାଯାଇଛି । ଗ୍ରାମବାସୀ ଏହା ବୁଝିବା କଥା ଏବଂ କେନ୍ଦ୍ର ବନ୍ଦ ହେବା ଫଳରେ ଶିଶୁ ତଥା ଗର୍ଭବତୀ ମା ମାନଙ୍କର ଅସୁବିଧାକୁ ଦେଖି ଗ୍ରାମବାସୀ ତାଲା ଖୋଲିଦେବାକୁ ଅନୁରୋଧ କରିଛି ।