ଆରମ୍ଭ ହେଲା ଅମରନାଥ ଯାତ୍ରା; ହରହର ମହାଦେବ ନାରାରେ କମ୍ପିଲା ପରିବେଶ, ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜରୀ ଜାରି

Published By : Prameya-News7 Bureau | July 03, 2025 IST

ନୂଆଦିଲ୍ଲୀ ୦୩।୦୭; ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଜମ୍ମୁର ବେସ୍ କ୍ୟାମ୍ପରେ ଏହାର ଶୁଭାରମ୍ଭ କରିଛନ୍ତି ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଆଜି ଭୋରରେ ସେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖରେ ଶେଷ ହେବ ଏହି ୩୮ ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ  ୬୦୦ ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ଏହି ସମୟରେ ଜମ୍ମୁ ଏବଂ କାଶ୍ମୀର ପୁଲିସ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି।

ବିଶେଷ କରି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭକ୍ତଙ୍କ ସୁରକ୍ଷା ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଏଥି ସହିତ ସେମାନଙ୍କ ରହିବା, ଖାଇବା ପିଇବାରେ ଯେମିତି କୌଣସି ପ୍ରକାରର ସମସ୍ୟା ନ ହୁଏ, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଉଭୟ ପହଲଗାମ ଓ ବଲତାଲ ରୁଟ୍ ରେ ଶ୍ରଦ୍ଧାଳୁମାନେ ଯାଉଛନ୍ତି । ଏ ବର୍ଷ ପ୍ରାୟ ସାଢ଼େ ୩ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ କରିଛନ୍ତି । ପୁଲିସ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି,ଯେଉଁଥିରେ କୁହାଯାଇଛି, '୨୦୨୫ରେ ଅମରନାଥ ଯାତ୍ରା କରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ କେବଳ ଭଗବତୀ ନଗର, ବାଟାଲ ଏବଂ ନନୱାନ ବେସ କ୍ୟାମ୍ପରୁ ଛାଡିବା ପାଇଁ ନିର୍ଦ୍ଧାରିତ କନଭୟରେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ, ପୁଲିସ ଏହା ମଧ୍ୟ କହିଛି ଯେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ଯାତ୍ରାର ଦିନ ପୂର୍ବରୁ ଯଥାସମ୍ଭବ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

ତେବେ ଏହି ୩୮ ଦିନ ବ୍ୟାପୀ ଯାତ୍ରା ପହଲଗାମ ଏବଂ ବାଲତାଲ ଉଭୟ ରୁଟରୁ ବାହାରିବ। ଏହି ଯାତ୍ରା ଆସନ୍ତା ମାସ ୯ ଅଗଷ୍ଟରେ ରକ୍ଷାବନ୍ଧନରେ ଶେଷ ହେବ। ପ୍ରତିବର୍ଷ ଦେଶ ସାରା ଲକ୍ଷ ଭକ୍ତ ବାବା ଅମରନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଚଳିତ ବର୍ଷ ଯାତ୍ରା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ରୁ ଅଧିକ ଭକ୍ତ ପଞ୍ଜିକରଣ କରିଛନ୍ତି। ତୁରନ୍ତ ପଞ୍ଜିକରଣ ପାଇଁ, ଜମ୍ମୁର ସରସ୍ୱତୀ ଧାମ,ବୈଷ୍ଣବୀ ଧାମ, ପଞ୍ଚାୟତ ଭବନ ଏବଂ ମହାଜନ ସଭାରେ କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକ ପ୍ରତିଦିନ ୨ ହଜାର ଭକ୍ତ ପଞ୍ଜିକରଣ କରୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.