ହସ୍ପିଟାଲରେ ନିଜ ଗଳା କାଟି ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ, ପୋଲିସକୁ ନ ଜଣାଇ ମୃତଦେହ ପଠାଇଦେଲେ କର୍ତ୍ତୃପକ୍ଷ

Published By : Prameya-News7 Bureau | July 18, 2025 IST

ବଡବିଲ ୧୮୭: ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ । ଯୋଡ଼ା ସ୍ଥିତ ଏକ ହସ୍ପିଟାଲରେ ଗଳା କାଟି ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ପରେ ସନ୍ଦେହ ଘେରରେ ହସ୍ପିଟାଲ କର୍ତ୍ତୃପକ୍ଷ । ଘଟଣାକୁ ଲୁଚାଇବା ଉଦ୍ଦେଶ୍ୟରେ ପୋଲିସକୁ ନ ଜଣାଇ ମୃତଦେହକୁ କର୍ତ୍ତୃପକ୍ଷ ପଠାଇ ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଏକ ହସ୍ପିଟାଲରେ ଗଳାକାଟି ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ମୃତକ ଯୋଡ଼ା ୭ନଂ ୱାର୍ଡ଼ ଉଲି ହଟିଂ ଅଞ୍ଚଳର ସଞ୍ଜୟ ମୁଣ୍ଡାଙ୍କ ସ୍ତ୍ରୀ । ତାଙ୍କ ଗୋଡ଼ରେ କାଚ ଫୁଟି ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ୧୦ ତାରିଖରେ ହସ୍ପିଟାଲର ଫିମେଲ ୱାର୍ଡ଼ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଝିଅ ଆଟେଣ୍ଡାଣ୍ଟ ଭାବରେ ରହିଥିଲେ ।  ଗତ ବିଳମ୍ବିତ ରାତିରେ ଝିଅ ଶୋଇଥିବା ବେଳେ ସେ ନିଜ ଗଳାକାଟି ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଏହି ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି । ଘଟଣାକୁ ଲୁଚାଇବା ପାଇଁ ପୋଲିସକୁ ନଜଣାଇ ସକାଳ ପ୍ରାୟ ୬ଟା ୨୦ରେ ମୃତଦେହକୁ ତାଙ୍କ ଘରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ମୃତଦେହ ବାହାର କରିବା ପରେ ରକ୍ତ ଦାଗ ସବୁ ସଫା କରିବା ସହ ବେଡ୍‌କୁ ମଧ୍ୟ ଧୋଇ ଦିଆଯାଇଛି । ଘଟଣା ପ୍ରଘଟ ହେବା ପରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ହସ୍ପିଟାଲରେ ପହଞ୍ଚି   ସ୍ଥିତି ଅନୁଧ୍ୟାନ କରିଛନ୍ତି  ।  ଘଟଣାର ପୁଙ୍ଖାନପୁଙ୍ଖ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚମ୍ପୁଆ ଉପ ଜିଲ୍ଲାପାଳ କହିଛନ୍ତି । କେଉଁ ପରିସ୍ଥିତିରେ ପୋଲିସକୁ ନ ଜଣାଇ ମୃତଦେହ ପଠାଗଲା ସେନେଇ ମଧ୍ୟ ତଦନ୍ତ କରାଯିବ ବୋଲି ବଡ଼ବିଲ ଏସଡିପିଓ  କହିଛନ୍ତି । ଘଟଣା ସମ୍ପର୍କରେ କିଛି ନକହି ହସ୍ପିଟାଲ ଆଡମିନ୍ ଏଡାଇ ଯାଇଥିଲେ ।

You Can Read:

ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ସହ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ରାସ୍ତାରୋକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.