ପୁରୀ ୩୧।୫: ପୁରୀ ବଡ଼ଦାଣ୍ଡରେ ଖଜା କିଣୁଥିଲେ ସାବଧାନ ! ଆପଣ ୧ କିଲୋଗ୍ରାମ ବଦଳରେ ପାଇବେ ୭ଶହ ଗ୍ରାମର ଖଜା । ଏଭଳି ଆମେ କହୁନୁ କିଛି ଶ୍ରଦ୍ଧାଳୁ କହୁଛନ୍ତି । ବ୍ରହ୍ମପୁରରୁ ଆସିଥିବା କିଛି ଶ୍ରଦ୍ଧାଳୁ ଏଭଳି କହୁଥିବାର ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରୁ ଆସିଥିବା କିଛି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଘର ଓ ବନ୍ଧୁମାନଙ୍କ ପାଇଁ ପୁରୀର ପ୍ରସିଦ୍ଧ ଖଜା ନେବାକୁ ବୁଲୁଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗଳିରେ ଥିବା ଖଜା ଦୋକାନରୁ ୨୦ କିଲୋ ଖଜା କିଣିଥିଲେ । ହେଲେ ତାକୁ ପାଖ ଦୋକାନରେ ଓଜନ କରିବାରୁ ତାହା ୧୨ କିଲୋ ଖଜା ହେଲା । ଅର୍ଥାତ୍ ଖଜା କିଲୋଗ୍ରାମ ପିଛା ୩୦୦ ଗ୍ରାମ୍ କମ୍ ।
ତେବେ ଏହାକୁ ନେଇ ଖଜା ଦୋକାନୀଙ୍କ ସହ ସେମାନେ ପାଟିତୁଣ୍ଡ କରିବାରୁ ଦୋକାନୀ କହିଥିଲେ ପୁରୀରେ ଏହିଭଳି ଓଜନ ରହିବ । ତେଣୁ ଇଚ୍ଛା ଅଛି ଯଦି ନିଆ ନ ହେଲେ ମାଡ଼ ଖାଇବ ବୋଲି ଧମକ ଦେବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାସହ ପୋଲିସ ପହଞ୍ଚି ଖଜା ଦୋକାନୀ ଓ ଖଜା ଏବଂ ମେସିନକୁ ଜବତ କରିବା ସହ ସିଂହଦ୍ୱାରା ଥାନାରେ ଅଟକ ରଖିଥିବା ବେଳେ ପର୍ଯ୍ୟଟକମାନେ ଏତଲା ଦେଇଛନ୍ତି ।
ଖାଲି ଓଜନ ଠକେଇ ନୁହେଁ ତଳେ ପଡିଥିବା ଖଜାକୁ ବି ପ୍ୟାକିଂ କରି ବିକ୍ରି ହେଉଥିବା ଅଭିଯୋଗ ହେଉଥିବା ବେଳେ ଖଜାର ମାନକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ତେବେ ପୁରୀରେ ଏଭଳି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଓଜନ ମେସିନ ଚଢାଉ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
You Can Read:
ଅବକାରୀ ଆଇନରେ କଠୋର ହେବ ଦଣ୍ଡବିଧାନ ବ୍ୟବସ୍ଥା, ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ